ସେ ଦିନ ମନୁ ଭାକରଙ୍କୁ କହିଥିଲେ କ୍ଷମା ମାଗ, ପଦକ ଜିତିବା ପରେ ଆଜି ଦେଉଛନ୍ତି ସାବାସୀ, ଅନିଲ ବିଜଙ୍କ ପୁରୁଣା ଟ୍ୱିଟ ଭାଇରାଲ
ଓଡିଶା ଭାସ୍କର: ଭାରତର ସୁନା ଝିଅ ମନୁ ଭାକର ୧୦ ମିଟର ଏୟାରପିଷ୍ଟଲରେ ଭାରତ ପାଇଁ କାଂସ୍ୟ ଜିତି ଭାରତକୁ ପ୍ୟାରିସ ଅଲମ୍ପିକ୍ସରେ ପ୍ରଥମ ପଦକ ଭେଟି ଦେଇଛନ୍ତି । ମନୁଙ୍କ ଏହି ବିଜୟ ପରେ ସାରା ଦେଶ ଏବେ ଖୁସି ମନାଉଛି । ଏହାବାଦ ହରିୟାଣାର ତତ୍କାଳୀନ ମନ୍ତ୍ରୀ ଅନିଲ ବିଜଙ୍କ ସେହିସମୟରେ ଗାଳି ବା ମନୁଙ୍କୁ ଦିଆଯାଇଥିବା ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟୁଛି ।
କହିରଖୁ, ମନୁ ଭାକର ୨୦୧୮ ମସିହାରେ ହୋଇଥିବା ଯୁବ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ କରାୟତ୍ତ କରିଥିଲେ । ଫଳରେ ମନ୍ତ୍ରୀ ବିଜ ତାଙ୍କର ବିଜୟରେ ପୁରସ୍କାର ରାଶି ଘୋଷଣା କରିଥିଲେ । ଏକ ଟ୍ୱିଟ ମାଧ୍ୟମରେ ସେ ମନୁଙ୍କୁ ୨ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ । ଏହାସହ ଗତ ସରକାର ମାତ୍ର ୧୦ ଲକ୍ଷ ଦେଉଥିବା କହିଥିଲେ ମନ୍ତ୍ରୀ ବିଜ । ଏହି ଟ୍ୱିଟ ପରେ ମନୁଙ୍କ ପ୍ରତିକ୍ରିୟା ଆସିଥିଲା । ସେ କହିଥିଲେ ଯେ ବାସ୍ତବରେ ଏହି ଘୋଷଣା ସତ୍ୟ ନା କେବଳ ଏକ ଘୋଷଣା । ଏହି ଟ୍ୱିଟ ସେ ୪ ଜାନୁଆରୀ ୨୦୧୯ ମସିହାରେ କରାଯାଇଥିଲା । ଏହି ଘୋଷଣାର ପୁଷ୍ଟି କରିବାକୁ ମନୁ କହିଥିଲେ ମନ୍ତ୍ରୀଙ୍କୁ । ଫଳରେ ସୁନ୍ଦରୀ ସୁଟର ମନୁଙ୍କ ଏଭଳି ବୟାନରେ ମନ୍ତ୍ରୀ ବିଜଙ୍କ ହୋସ ଉଡିଯାଇଥିଲା । ସେ ରାଗିଥିଲେ ଓ ମନୁଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ । ଏହାବାଦ ଖେଳାଳିଙ୍କ ପାଖରେ ଅନୁଶାସନ ରହିବା ଆବଶ୍ୟକ ବୋଲି କହିଥିଲେ ।
କିନ୍ତୁ, ଆଜି ସମୟ ବଦଳିଛି । ୨୦୧୮ ଯୁବ ଅଲମ୍ପିକ୍ସରେ ସୁନା ଜିତିଥିବା ଏହି ସୁନା ଝିଅ ମନୁ ଆଜି ପ୍ୟାରିସ ଅଲମ୍ପିକ୍ସରେ ଚମକି ଦେଶର ଗୌରବ ବଢାଇଛି । ଫଳରେ ଅନିଲ ବିଜେ ନିଜେ ବି କାଂସ୍ୟ ପଦକ ଜିତିବା ପରେ ମନୁଙ୍କୁ ପ୍ରଶଂସାରେ ପୋତିଛନ୍ତି । ହରିୟାଣା ଝିଅ ଅଲମ୍ପିକରେ ଦମ ଦେଖାଇଦେଲା ବୋଲି ସେ ଲେଖିଛନ୍ତି । ସେ ହରିୟାଣା ଓ ସାରା ଦେଶର ଗର୍ବ ବୋଲି ବିଜ କହିଛନ୍ତି ।