fbpx

ବିଧାନସଭାର ଚତୁର୍ଥ କାର୍ଯ୍ୟଦିବସରେ ରାଜସ୍ୱ ପରିଚାଳନା ବିଭାଗର ଦୁଇଟି ବିଲ୍‍ ପାରିତ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନର ଚତୁର୍ଥ କାର୍ଯ୍ୟଦିବସରେ ଆଜି ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ସଂଶୋଧନ ବିଲ୍‍-୨୦୨୩ ଏବଂ ଓଡ଼ିଶା ଭୂସଂସ୍କାର ସଂଶୋଧନ ବିଲ୍‍-୨୦୨୩ ଗୃହରେ ପାରିତ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଦ୍ୱାରା ଆଗତ କରାଯାଇଥିବା ଏହି ଦୁଇଟି ବିଲ୍‍ ଉପରେ ସରକାରୀ ଦଳର ବିଧାୟକ ଅମର ପ୍ରସାଦ ଶତପଥୀ ଭାଗ ନେଇଥିଲେ । ବିରୋଧୀ ବିଜେପି ଏବଂ କଂଗ୍ରେସ ଦଳର ସଭ୍ୟମାନେ ବିଧିବ୍ୟବସ୍ଥା ଅନୁସାରେ ଗୃହକାର୍ଯ୍ୟ ପରିଚାଳନା ହେଉ ନଥିବା ଅଭିଯୋଗ କରି କକ୍ଷ ତ୍ୟାଗ କରିଥିଲେ ।

ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ରାଜ୍ୟ ସୂଚନା କମିଶନଙ୍କ ବାର୍ଷିକ ରିପୋର୍ଟ, ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ବନ୍ଧ ସୁରକ୍ଷା ସମ୍ପର୍କିତ ବାର୍ଷିକ ରିପୋର୍ଟ, ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ୮ଟି ଜିଲ୍ଲାର ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟ ରିପୋର୍ଟ ଗୃହରେ ଉପସ୍ଥାପନ କରିଥିଲେ । ଏହାପୂର୍ବରୁ ଦ୍ୱିତୀୟାର୍ଦ୍ଧ ଅଧିବେଶନ ଆରମ୍ଭ ହେବା ପରେ ବାଚସ୍ପତି ପ୍ରମିଳା ମଲ୍ଲିକ୍‍ ପ୍ରଥମେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ତାଙ୍କର ବକ୍ତବ୍ୟ ଗୃହରେ ରଖିବା ପାଇଁ ସୁଯୋଗ ଦେଇଥିଲେ ।

ସେ କହିଥିଲେ, ଗୃହର ଶୂନ୍ୟକାଳରେ ବିଧାନସଭାର ନିୟମ ଅନୁସାରେ ପ୍ରଥମେ ବିରୋଧୀ ଦଳର ନେତାଙ୍କୁ କହିବା ପାଇଁ ସୁଯୋଗ ମିଳୁଥିବାବେଳେ ଦ୍ୱିତୀୟରେ କଂଗ୍ରେସ ବିଧାୟକ ଦଳର ନେତାଙ୍କୁ ଏହି ସୁଯୋଗ ମିଳିବା କଥା । ହେଲେ ଏହି ନିୟମକୁ ପାଳନ କରାଯାଉ ନଥିବା ଅଭିଯୋଗକରି ଏହାର ପ୍ରତିବାଦରେ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିବାରୁ ବାଚସ୍ପତି ପ୍ରଥମେ ୩୦ ମିନିଟ୍‍ ଲେଖାଏଁ ଦୁଇଥର ଗୃହକୁ ମୁଲତବୀ ରଖିଥିଲେ । ଗୃହ ମୁଲତବୀ ପୂର୍ବରୁ ବାଚସ୍ପତି ଶ୍ରୀମତୀ ମଲ୍ଲିକ୍‍ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ବିରୋଧୀ ଦଳର ସଦସ୍ୟମାନେ ଏଥିରେ ଯୋଗଦେଇ ନଥିଲେ । ଆଜିର ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଶ୍ନୋତ୍ତର କାର୍ଯ୍ୟ ହୋଇଥିଲା । ଏଥିରେ କୃଷି ଓ ଚାଷୀ ସମ୍ପର୍କିତ ପ୍ରଶ୍ନ ଉପରେ ସରଗରମ ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.