fbpx

ଧାନର ସର୍ବନିମ୍ନ ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାର ୨୦୨୨-୨୩ ଶସ୍ୟ ବର୍ଷ ପାଇଁ ୧୭ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) ବୃଦ୍ଧି କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଧାନର ଏମ୍ଏସ୍‌ପି କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଫଳରେ କୁଇଣ୍ଟାଲ ପିଛା ଗ୍ରେଡ-ଏ ଧାନର ମୂଲ୍ୟ ୧୯୬୦ରୁ ୨୦୬୦ ଟଙ୍କା ଏବଂ ସାଧାରଣ କିସମ ଧାନର ମୂଲ୍ୟ ୧୯୪୦ରୁ ୨୦୪୦ ଟଙ୍କା ହୋଇଛି।

ତେବେ ଏହି ବୃଦ୍ଧି ଓଡ଼ିଶାର ଚାଷୀଙ୍କୁ କୌଣସି ଫାଇଦା ଦେବ ନାହିଁ। ଗୋଟିଏ କୁଇଣ୍ଟାଲ ଧାନ ଉତ୍ପାଦନ ପାଇଁ ଚାଷୀମାନେ ୨୩୪୪ ଟଙ୍କା ଖର୍ଚ୍ଚ କରୁଛନ୍ତି। ୨୦୪୦ ଟଙ୍କା ଏସ୍ଏସ୍‌ପି ପାଇଲେ ମଧ୍ୟ ଚାଷୀଙ୍କୁ ୩୦୪ ଟଙ୍କା କ୍ଷତି ସହିବାକୁ ପଡୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ଆୟ ଦ୍ବିଗୁଣ କରିବାକୁ କହି ଆସୁଛନ୍ତି। ହେଲେ ଧାନର ଉଚିତ ମୂଲ୍ୟ ନ ପାଇ ଚାଷୀଙ୍କୁ ହତାଶ ହେବାକୁ ପଡୁଛି। ଓଡ଼ିଶା ଧାନ ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟ। ଚାଷୀଙ୍କୁ ଉଚିତ ମୂଲ୍ୟ ଦେଇ ଧାନ କିଣିବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇଛି।

ଧାନ ବ୍ୟତୀତ କେନ୍ଦ୍ର ସରକ ଆଉ ୧୬ଟି ଫସଲର ମଧ୍ୟ ଏମ୍ଏସ୍‌ପି ବୃଦ୍ଧି କରିଛନ୍ତି। ଏନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏମ୍ଏସ୍‌ପିରେ କରାଯାଉଥିବା ଏହି ବୃଦ୍ଧି ୧୫ % ରୁ ୨୦ % ମଧ୍ୟରେ ରହିଛି। ଫସଲର ହାରାହାରି ଉତ୍ପାଦନ ଖର୍ଚ୍ଚ ଅତି କମ୍‌ରେ ୧.୫ ଗୁଣା ସିଦ୍ଧାନ୍ତ ଉପରେ ଏହି ଏମ୍ଏସ୍‌ପି ବୃଦ୍ଧି ଧାର୍ୟ୍ୟ କରାଯାଇଛି। ସୂଚନାଯୋଗ୍ୟ ଏସ୍ଏସ୍‌ପି ଅନୁସାରେ ସରକାରୀ ଏଜେନ୍ସିଗୁଡ଼ିକ ଚାଷୀମାନଙ୍କଠାରୁ ଫସଲ କିଣିଥାନ୍ତି। କ୍ୟାବିନେଟ୍ କମିଟି ନିଷ୍ପତ୍ତି ସମ୍ପର୍କରେ ମନ୍ତ୍ରୀ ଠାକୁରଙ୍କ ସୂଚନା ଅନୁଯାୟୀ ବାଜରାର ଏମ୍ଏସ୍‌ପି ମଧ୍ୟ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବଢ଼ିଛି। ସେହିପରି ରାଗିରେ ୨୦୧ ଟଙ୍କା, ମକାରେ ୯୨ ଟଙ୍କା, ମୁଗରେ ୪୮୦ ଟଙ୍କା, ବାଦାମରେ ୩୦୦ ଟଙ୍କା, ହରଡ଼ରେ ୩୦୦ ଟଙ୍କା, ସୂର୍ୟ୍ୟମୁଖୀରେ ୩୮୫ ଟଙ୍କା, ସୋୟାବିନ୍‌ରେ ୩୫୦ ଟଙ୍କା, ରାଶିରେ ୫୨୩ ଟଙ୍କା ଏବଂ ତୁଳା (ମଧ୍ୟମ ଷ୍ଟେପଲ୍) ଏମ୍ଏସ୍‌ପିରେ କୁଇଣ୍ଟାଲ୍ ପିଛା ୩୫୫ଟଙ୍କା ବୃଦ୍ଧି କରାଯାଇଛି। ରାଶି ଏମ୍ଏସ୍‌ପି କୁଇଣ୍ଟାଲ୍ ପିଛା ସର୍ବାଧିକ ୫୨୩ ଟଙ୍କା ବୃଦ୍ଧି ପାଇଥିବାବେଳେ ମକାରେ ସର୍ବନିମ୍ନ ୯୨ ଟଙ୍କା ବଢ଼ିଛି।

Get real time updates directly on you device, subscribe now.