fbpx

ରାଜ୍ୟକୁ ସେମାନଙ୍କ ଟଙ୍କା ଦେଉନାହାନ୍ତି କେନ୍ଦ୍ର ସରକାର! ସାଂଘାତିକ ଅଭିଯୋଗ ଆଣିଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ଫେବୃଆରୀ ୧ ତାରିଖରେ ଦେଶରେ କାମଚଳା ବଜେଟ ଉପସ୍ଥାପନ ହୋଇଯାଇଛି । ଏଥିରେ କେଉଁ ରାଜ୍ୟକୁ କେତେ ଟଙ୍କା ପ୍ରଦାନ କରାଯିବ, ସେ ନେଇ ଯୋଜନା ପ୍ରକାଶ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କିନ୍ତୁ ଏହି ବଜେଟ ପରେ ବିଭିନ୍ନ ରାଜ୍ୟ କେନ୍ଦ୍ର ସରକାରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବିଭିନ୍ନ ରାଜ୍ୟ ପାଇଁ ଘୋଷଣା ହୋଇଥିବା ଟଙ୍କା କେନ୍ଦ୍ର ସରକାର ସେମାନଙ୍କୁ ଦେଉ ନଥିବା ଅଭିଯୋଗ ହୋଇଛି । କର୍ଣ୍ଣାଟକ ସମତ ଆହୁରି କିଛି ରାଜ୍ୟ କେନ୍ଦ୍ର ସରକାରଙ୍କ ବିପକ୍ଷରେ ଏଭଳି ଅଭିଯୋଗ କରିଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜର ବିଧାୟକ ଏବଂ କଂଗ୍ରେସ ପାର୍ଟିର ସଂସଦମାନଙ୍କ ସହ ମିଶି କେନ୍ଦ୍ର ବିପକ୍ଷରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି । ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରି କେନ୍ଦ୍ର ସହ ଭେଦଭାବ ନ କରିବା ପାଇଁ ଅପିଲ କରାଯାଇଛି । ଏଥିରେ କୁହାଯାଇଛି ଯେ, ଆମେ ଯଦି କେନ୍ଦ୍ରକୁ ୧୦୦ ଟଙ୍କା ଦେଉଛୁ ତେବେ କେନ୍ଦ୍ର ଆମକୁ ମାତ୍ର ୧୨ ଟଙ୍କା ପ୍ରଦାନ କରୁଛି । କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତର କିଛି ରାଜ୍ୟ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରକୁ ଯେଉଁ ରାଜ୍ୟ ଅଧିକ ଟାକ୍ସ ପ୍ରଦାନ କରୁଛି, ସେମାନଙ୍କୁ ଅନ୍ୟ ରାଜ୍ୟଗୁଡ଼ିକ ଅପେକ୍ଷା କମ୍ ଫଣ୍ଡ ଦିଆଯାଉଛି । ଏହାବ୍ୟତୀତ ଉତ୍ତର ଭାରତର ରାଜ୍ୟମାନେ କମ୍ ଟାକ୍ସ ଦେଉଥିଲେ ମଧ୍ୟ ସେମାନଙ୍କୁ ଅଧିକ ପାଣ୍ଠି ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ଦକ୍ଷିଣ ଭାରତର ରାଜ୍ୟ ସରକାର କହିଛନ୍ତି ଯେ, କେନ୍ଦ୍ର ସରକାର ରାଜ୍ୟକୁ କମ୍ ଫଣ୍ଡ ଦିଆଯାଇଛି । କଂଗ୍ରେସ ଏ ନେଇ ଅଭିଯୋଗ କରିଛି ଯେ, ଏହି ରାଜ୍ୟମାନେ ଯେତିକି ଟାକ୍ସ ଦେଉଛନ୍ତି, ସେ ଅନୁସାରେ ଖୁବ କମ୍ ପରିମାଣର ପାଣ୍ଠି ପାଇବାରେ ସେମାନେ ସଫଳ ହେଉଛନ୍ତି । କର୍ଣ୍ଣାଟକକୁ ୪.୭୧ ପ୍ରତିଶତ ଭାଗ ମିଳିବା ନେଇ ନିଷ୍ପତ୍ତି ହୋଇଥିଲା, କିନ୍ତୁ ବର୍ତ୍ତମାନ ଅର୍ଥ ଆୟୋଗରେ ଏହା ୩.୬୪ ପ୍ରତିଶତକୁ ହ୍ରାସ ପାଇଛି । ଏହା ଦ୍ୱାରା ରାଜ୍ୟମାନଙ୍କୁ ପ୍ରାୟ ୨ କୋଟିକ୍ଷତି ସହିବାକୁ ପଡ଼ିଛି । ତେବେ ରିପୋର୍ଟ ଅନୁସାରେ, ଅଧିକ ଟାକ୍ସ ଦେଉଥିବା ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ତରପରୁ ରାଜସ୍ୱର କମ୍ ଅଂଶ ମିଳିଥାଏ । ତେଣୁ ଟାକ୍ସ ଜମା କରିବାରେ ଶୀର୍ଷରେ ଥିବା କର୍ଣ୍ଣାଟକ,ତାମିଲନାଡୁ ଏବଂ ଗୁଜୁରାଟ ଭଳି ରାଜ୍ୟକୁ କମ୍ ରାଜସ୍ୱ ମିଳିଥାଏ ।

ଦେଶ ସମ୍ବିଧାନର ଧାରା ୨୮୦ ଅନୁସାରେ, ଟାକ୍ସ ବଣ୍ଟନ ଦାୟିତ୍ୱ ଅର୍ଥ ଆୟୋଗଙ୍କ ଦ୍ୱାରା ହୋଇଥାଏ । ଅର୍ଥ ଆୟୋଗ ହିଁ କେଉଁ ରାଜ୍ୟକୁ କେତେ ଅଂଶ ମିଳିବା ଉଚିତ୍, ତାହା ନିର୍ଦ୍ଧାରଣ କରିଥାନ୍ତି । ତେବେ ଏହି ତାଲିକାରେ ସର୍ବାଧିକ ପାଣ୍ଠି ପାଉଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶକୁ ୧୭.୯୩୯ ପ୍ରତିଶତ(୨.୧୯ ଲକ୍ଷ କୋଟି) ମିଳୁଥିବା ବେଳେ ବିହାରକୁ ୧୦.୦୫୮ ପ୍ରତିଶତ(୧.୨୩ ଲକ୍ଷ କୋଟି) ଟଙ୍କା ମିଳିଥାଏ । ତେବେ ଏହି ତାଲିକାରେ ଆନ୍ଧ୍ରପ୍ରଦେଶକୁ ୪.୦୫%(୪୯,୩୬୪ କୋଟି) କର୍ଣ୍ଣାଟକକୁ ୩.୬୫% (୪୪,୪୮୫ କୋଟି) ଏବଂ ତାମିଲନାଡୁକୁ ୪.୦୮%(୪୯,୭୫୫ କୋଟି)ଟଙ୍କା ଦେଇଥାନ୍ତି କେନ୍ଦ୍ର ସରକାର ।

Get real time updates directly on you device, subscribe now.