fbpx
BSKY SKY
BSKY SKY

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୫୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ୮୦ ହଜାର ହେକ୍ଟର ଜମିକୁ ମିଳିଲା ପାଣି

BSKY

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି। ଏଥିପାଇଁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ୩୩ଟି ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ଭିତ୍ତିସ୍ଥାପନ ମଧ୍ୟ କରିଛନ୍ତି। ଏ ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୯ଟି ଜିଲ୍ଲାର ୫୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ।

କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀଭାଇ ହେଉଛନ୍ତି ଦେଶର ଶ୍ରେଷ୍ଠ ସେବକ। ସେମାନେ ଆମ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ ତ୍ୟାଗ ଓ ପରିଶ୍ରମ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ପ୍ରତିଦିନ ତାଙ୍କ ଘରେ ଚାଷୀ ଭାଇଭଉଣୀମାନଙ୍କୁ ଭେଟୁଛନ୍ତି ଓ ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରୁଛନ୍ତି। ଚାଷୀ ଭାଇମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେଉଥିବା ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସି ବ୍ୟକ୍ତ କରିଥିଲେ।

କୃଷକମାନଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟ ସରକାରଙ୍କ କୃଷି ବଜେଟ୍‌ ୫ ବର୍ଷରେ ୩ ଗୁଣ ହୋଇ ଏବେ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି। ସେ କହିଥିଲେ ଯେ କାଳିଆ ଯୋଜନା ଚାଷୀ ଭାଇମାନଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଛି। ରାଜ୍ୟ ସରକାର ଚାଷୀଭାଇମାନଙ୍କ ଫସଲବୀମାର ପ୍ରିମୟମ ପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ଦିଆଯାଉଛି।

ରାଜ୍ୟରେ ଜଳସେଚନର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ୫-ଟି ଉପକ୍ରମରେ ଜଳସେଚନର ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି। ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ ଏବଂ ସୁବର୍ଣ୍ଣରେଖା ପରି ବଡ ବଡ ପ୍ରକଳ୍ପରୁ ଚାଷୀମାନେ ଜଳସେଚନ ସୁବିଧା ପାଉଛନ୍ତି। ଏହା ଛଡା ଗଙ୍ଗାଧର ମେହର ପ୍ରକଳ୍ପ ଓ ଲୋୟର ସୁକତେଲ ପରି ଅନ୍ୟ ବଡ ବଡ ପ୍ରକଳ୍ପ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ସେ କହିଥିଲେ। ନଦୀଗୁଡିକରେ ସବୁଦିନ ପାଣି ମିଳିବାର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟର କୃଷି କ୍ଷେତ୍ର ସମୃଦ୍ଧ ହେବ ଏବଂ ଚାଷୀଭାଇଙ୍କର ରୋଜଗାର ବୃଦ୍ଧି ହେବ।

Get real time updates directly on you device, subscribe now.