ନୂଆଦିଲ୍ଲୀ: ଆଜି ସାରା ଭାରତ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ‘ଦେଶର ଉନ୍ନତି ପାଇଁ କର୍ତ୍ତବ୍ୟ ସଂପାଦନ କରିବାକୁ ହେବ । ସମ୍ୱିଧାନର ପ୍ରସ୍ତାବନା ଭାରତବାସୀଙ୍କ ଠାରୁ ଆରମ୍ଭ ହେଉଛି। ଏହି ଶବ୍ଦ ଆମ ସମ୍ୱିଧାନର ମୂଳ ଭାବନାକୁ ରେଖାଙ୍କିତ କରୁଛି। ଦେଶ ସ୍ୱାଧୀନତାର ଶତାବ୍ଦୀ ଆଡ଼କୁ ଅଗ୍ରସର ହୋଇ ଅମୃତ କାଳର ପ୍ରାରମ୍ଭିକ ପର୍ଯ୍ୟାୟ ଦେଇ ଯାଉଛି।’
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରକୁ ସମ୍ୱୋଧିତ କରି କହିଛନ୍ତି ଯେ ଦେଶର ବୈଜ୍ଞାନିକ, ପ୍ରଯୁକ୍ତି ବିଶେଷଜ୍ଞ ପୂର୍ବାପେକ୍ଷା ବହୁ ଉଚ୍ଚ ଲକ୍ଷ୍ୟ ହାସଲ କରୁଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିଛନ୍ତି ରାଷ୍ଟ୍ରପତି। ସେ କହିଛନ୍ତି ଯେ ନାରୀ ଶକ୍ତି ବନ୍ଦନ ଅଧିନିୟମ ମହିଳା ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି। ଏହା ଆମର ଶାସନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛଳ କରିବାରେ ସହଯୋଗ କରିବ।
ଏହା ସହ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ଓ ରାଜ୍ୟର ମହାନ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶ ପାଇଁ ସହିଦ ଯବାନମାନଙ୍କୁ ସମ୍ମାନ ଜଣାଇଛନ୍ତି । କହିଛନ୍ତି ଯେ, ‘ଆମ ଦେଶ ମହାତ୍ମା ଗାନ୍ଧୀ, ସୁଭାଷ ବୋଷଙ୍କ ଦେଶ । ମାଆମାନେ କେବଳ ପରିବାର ନୁହେଁ, ଆମ ସମାଜର ଶକ୍ତି । ମିଶନ ଶକ୍ତି ୭୦ ଲକ୍ଷ ମାଆଙ୍କୁ ବିକାଶର ଭାଗୀଦାର କରିଛି । ସମସ୍ତଙ୍କ ସହଯୋଗରେ ଆମେ ନୂଆ ଓଡ଼ିଶା ଗଢ଼ିବା । ଆମ ଓଡ଼ିଶା ହେବ ଶ୍ରେଷ୍ଠ ଓଡ଼ିଶା, ସଶକ୍ତ ଓଡ଼ିଶା ।
ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସବୁ ଜୀବନ ମୂଲ୍ୟବାନ, ସେଥିପାଇଁ BSKY ନବୀନ କାର୍ଡ । ଗରିବୀ କମ କରିବାରେ ଓଡ଼ିଶା ଏକ ଶ୍ରେଷ୍ଠ ପ୍ରଦର୍ଶନକାରୀ । ୯ ବର୍ଷରେ କୋଟିଏରୁ ଅଧିକ ଲୋକ ଗରିବୀରୁ ମୁକ୍ତ ହୋଇଛନ୍ତି । ମୋ ସରକାର ଗାଁକୁ ବିକାଶର କେନ୍ଦ୍ର କରିଛି । ଓଡ଼ିଶାର ବିକାଶ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଛି । ଜଗନ୍ନାଥଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହୋଇଛି । ଆମର କୀର୍ତ୍ତି ହେଉଛି ଆମ ସ୍ବାଭିମାନ ଓ ଅସ୍ମିତାର ପରିଚୟ । ସତ୍ୟ, ଶାନ୍ତି, ଅହିଂସା, ନ୍ୟାୟ, ସମତା ଓ ବିକାଶ ରାସ୍ତାରେ ଚାଲୁଛୁ । ବିଶ୍ଵ ଦରବାରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଉଛି । ଓଡ଼ିଶା ରୂପାନ୍ତର ପଥରେ ଆଗେଇ ଚାଲିଛି ।’