fbpx

ପଣସ ଖରାପ ବାହାରିବାରୁ ଦୋକାନୀଙ୍କୁ ହତ୍ୟା କଲା ଗ୍ରାହକ: ଲାଇଟ ଷ୍ଟାଣ୍ଡରେ ଆକ୍ରମଣ

ନୂଆଦିଲ୍ଲୀ: ପରିବା କିଣିବା ବେଳେ ସାଧାରଣତଃ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ଝଗଡ଼ା ହେଉଥିବାର ଦେଖିବାକୁ ମିଳିଥାଏ । ବେଳେବେଳେ ଦୋକାନୀମାନେ ଖରାପ ପରିବା ଦେଇ ଗ୍ରାହକ ମାନଙ୍କୁ ଠକିବାକୁ ଚେଷ୍ଟା ମଧ୍ୟ କରିଥାନ୍ତି । ଯାହା ଫଳରେ ଗ୍ରାହକ ଦୋକାନୀ ସହ ପାଟି ତୁଣ୍ଡ କରିବା ଭଳି ଘଟଣା ଅନେକ ଥର ଦେଖିବାକୁ ମିଳେ । କିନ୍ତୁ ଏହି ଭଳି ପାଟିତୁଣ୍ଡରେ ଗ୍ରାହକ ଦୋକାନୀର ହତ୍ୟା କରିବା କଥା ଶୁଣିଲେ ଆପଣମାନେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । ତେବେ ଗୋଟେ ଖରାପ ପଣସ ପାଇଁ ଗ୍ରାହକ ଦୋକାନୀଙ୍କର ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି ।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗାଜିୟାବାଦରେ । ଯେଉଁଠାରେ ଜଣେ ଦୋକାନୀ ଗ୍ରାହକଙ୍କୁ ଖରାପ ପଣସ ଦେଇଥିବାରୁ ଗ୍ରାହକ ଜଣକ ଦୋକାନୀଙ୍କୁ ଏଲଇଡି ଲାଇଟ ଷ୍ଟାଣ୍ଡରେ ଆକ୍ରମଣ କରି ହତ୍ୟା କରିଛନ୍ତି । ପୋଲିସ ସୂଚନା ଅନୁସାରେ କବି ନଗର ଥାନାରେ ଦୋକାନୀଙ୍କ ପୁଅ ଏପରି ଅଭିଯୋଗ କରିଛନ୍ତି ।

ସୂଚନାନୁସାରେ, କବି ନଗର ଥାନା ଅନ୍ତର୍ଗତ ବାପୁ ଧାମସ୍ଥିତ ମୋରଟା ଗ୍ରାମରେ ରହୁଥିବା ଅନିଲଙ୍କ ସହ ଏପରି ଅଘଟଣ ଘଟିଯାଇଛି । ଅନିଲଙ୍କର ଏକ ପନିପରିବା ଦୋକାନ ଥିଲା । ଗତ ୨୩ ଜୁନରେ ଜଣେ ବ୍ୟକ୍ତି ଅନିଲଙ୍କ ଦୋକାନରୁ ଗୋଟେ ପଣସ କିଣି ଘରକୁ ନେଇଥିଲେ । କିଛି ସମୟ ପରେ ସେହି ବ୍ୟକ୍ତି ଅନିଲଙ୍କ ଦୋକାନରେ ପହଞ୍ଚି ପଣସ ଖରାପ ଥିବା କହି ପାଟିତୁଣ୍ଡ ଆରମ୍ଭ କରି ଦେଇଥିଲେ । ଦୁଇ ଜଣଙ୍କ ମଧ୍ୟରେ ହେଉଥିବା ପାଟିତୁଣ୍ଡରେ ହଠାତ ଗ୍ରାହକ ଜଣକ ଦୋକାନରେ ଥିବା ଏଲଇଡି ଲାଇଟ ଷ୍ଟାଣ୍ଡ ଉଠାଇ ପରିବା ଦୋକାନୀଙ୍କୁ ଆକ୍ରମଣ କରିଥିଲେ । ଦୋକାନୀଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୋକାନୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ । କିନ୍ତୁ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ହିଁ ଦୋକାନୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ ମଧ୍ୟ ଗିରଫ କରି ନଥିବା ଜଣା ପଡ଼ିଛି । ତେବେ ଏହି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

Get real time updates directly on you device, subscribe now.