ବାପା ସାଜିଲା ରାକ୍ଷସ, 9 ବର୍ଷର ଝିଅକୁ କୁରାଢ଼ିରେ ହାଣିଦେଲା

ବାରମ୍ବାର ଦେହ ଖରାପ ହେଉଥିଲା ବୋଲି ବାପା ନେଲା ଏଭଳି ପଦକ୍ଷେପ

ମହାରାଷ୍ଟ୍ର: ଝିଅର ବାରମ୍ବାର ଦେହ ଖରାପ ହେଉଥିଲା ବୋଲି ବାପା ନେଲା ଚରମ ପଦକ୍ଷେପ। 9 ବର୍ଷର ଝିଅକୁ କୁରାଢ଼ିରେ ହାଣିଦେଲା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାର ଶେଳଗାଓଁରେ। ଯେଉଁଠାରେ ଅଭିଯୁକ୍ତ ବାପା ରାଗରେ ତାଙ୍କ 9 ବର୍ଷର ଝିଅକୁ ହତ୍ୟା କରିଛନ୍ତି।

ଏହି ଘଟଣାର ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି। ତାପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ସେଠାରୁ ତାଙ୍କୁ ତିନି ଦିନିଆ ପୋଲିସ ହେପାଜତକୁ ନିଆଯାଇଛି।

ମୃତ ଝିଅଟିର ନାମ ଗୌରୀ ଜ୍ଞାନେଶ୍ୱର ଜାଧବ। ସେ ଗାଁ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିଲା। ତାଙ୍କ ବାପା ସବୁବେଳେ ମଦ୍ୟପାନ କରୁଥିବାରୁ ସେ ତାଙ୍କ ଆଈଙ୍କ ପାଖରେ ରହୁଥିଲେ।

ଘଟଣା ଦିନ ତାଙ୍କ ଆଈ ଘରେ ନଥିଲେ। ଏହି ସମୟରେ ବାପା ଜ୍ଞାନେଶ୍ୱର ଜାଧବ ଶୋଇଥିବା ଅବସ୍ଥାରେ ଗୌରୀଙ୍କ ମୁଣ୍ଡରେ କୁରାଢ଼ି ସାହାଯ୍ୟରେ ଆକ୍ରମଣ କରିଥିଲେ। ଯାହା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ କହିଥିଲେ ଯେ ଗୌରୀ ପ୍ରାୟତଃ ଅସୁସ୍ଥ ହେଉଥିଲେ, ଯାହାଦ୍ୱାରା ସେ ଚିଡିଗଲେ ଏବଂ ରାଗିଯାଇ ଏଭଳି ପଦକ୍ଷେପ ନେଲେ।

ତା ପରେ ସେ ପ୍ରମାଣ ନଷ୍ଟ କରିଦେବାକୁ ମଧ୍ୟ ଚେଷ୍ଟା କରିଥିଲେ, କିନ୍ତୁ ଆଈଙ୍କ ସତର୍କତା ଯୋଗୁଁ ଏହି ଘଟଣା ସାମ୍ନାକୁ ଆସିଲା।