ବିମାନରେ ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଲେ ଡାକ୍ତର: ହୃଦଘାତରୁ ବଞ୍ଚାଇଲେ ଜୀବନ

ଭାରତୀୟ ବଂଶୋଦ୍ଭବ ଡାକ୍ତର ବିମାନରେ ଜଣେ ଯାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ । ତାହା ବି ଥରେ ନୁହେଁ, ଦୁଇ ଦୁଇ ଥର । ଉକ୍ତ ଯାତ୍ରୀଙ୍କୁ ହୃଦଘାତ ହୋଇଥିଲା । ସେ ହଠାତ୍ ଚେତା ହରାଇ ପଡ଼ିଗଲେ । ସେତେବେଳେ ସେହି ବିମାନରେ ଥିବା ୪୩ ବର୍ଷିୟ ଡାକ୍ତର ବିଶ୍ୱରାଜ ଭେମଲା ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ଡାକ୍ତର ବିଶ୍ୱରାଜ ଭେମଲା ବର୍ମିଂହାମର ହସ୍ପିଟାଲରେ କନସଲଟାଣ୍ଟ ହେପାଟୋଲଜିଷ୍ଟ ଅଛନ୍ତି ।

ଡାକ୍ତର ବିଶ୍ୱରାଜ ୧୦ ଘଣ୍ଟା ଫ୍ଲାଇଟରେ ବସିଥିଲେ, ଯେତେବେଳେ ଏହି ଘଟଣା ଘଟିଲା । ଏହାପରେ ସେ ବିମାନରେ ଥିବା ମେଡିକାଲ ଜିନିଷ ଓ ଅନ୍ୟ ଯାତ୍ରୀଙ୍କ ଠାରୁ କିଛି ସାମଗ୍ରୀ ନେଇ ପୀଡ଼ିତ ଯାତ୍ରୀଙ୍କର ଜୀବନ ବଞ୍ଚାଇଥିଲେ । ୟୁନିଭର୍ସିଟି ହସ୍ପିଟାଲ୍ସ ବର୍ମିଂହମ୍ ମୁତାବିକ, ଡାକ୍ତର ଭେମଲା ନଭେମ୍ୱରରେ ଏୟାର ଇଣ୍ଡିଆର ବିମାନରେ ବ୍ରିଟେନରୁ ଭାରତ ଆସୁଥିଲେ । ତାଙ୍କୁ ବେଙ୍ଗାଲୁରୁରୁ ନିଜ ମାଆଙ୍କୁ ଲଣ୍ଡନ ନେଇଯିବାର ଥିଲା । ଲଣ୍ଡନରୁ ଭାରତର ଉଡ଼ାଣ ବେଳେ ହଠାତ୍ କେବିନ କ୍ରୁ ଡାକ୍ତରଙ୍କୁ ଡାକିବା ଆରମ୍ଭ କରି ଦେଲେ । ଜଣେ ଯାତ୍ରୀଙ୍କୁ ହୃଦଘାତ ହୋଇଛି । ସେ ହଠାତ୍ ବିମାନର କରିଡରରେ ଖସି ପଡ଼ିଲେ ।

ଘୋଷଣା ଶୁଣିବା କ୍ଷଣି ଡାକ୍ତର ଭେମଲା ତତ୍କାଳ ତାଙ୍କ ଆଡ଼କୁ ଦୌଡିଲେ ଏବଂ ତାଙ୍କର ଚିକିତ୍ସାରେ ଲାଗିଗଲେ । ପାଖାପାଖି ୨ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରୋଗୀଙ୍କ କୌଣସି ପ୍ରକାରେ ଚେତା ଆସିଲା । ଏହାପରେ ଡାକ୍ତର କ୍ରୁଙ୍କୁ ପଚାରିଥିଲେ କି ଫ୍ଲାଇଟରେ କେଉଁ ପ୍ରକାରର ମେଡିକାଲ ସୁବିଧା ରହିଛି । ସୌଭାଗ୍ୟବଶତଃ ସେଠାରେ ମେଡିକାଲ କିଟ୍ ସହ ଲାଇଫ୍ ସପୋର୍ଟ ସିଷ୍ଟମ ମଧ୍ୟ ଉପସ୍ଥିତ ଥିଲା । ହେଲେ ଏଥିରେ ଏମିତି କୌଣସି ଇକ୍ୱିପମେଣ୍ଟ ନଥିଲା, ଯେଉଁଥିରେ ପୀଡ଼ିତ ବ୍ୟକ୍ତିଙ୍କ ସ୍ଥିତିକୁ ମନିଟର କରାଯାଇ ପାରିବ ।

ଏହାପରେ ଡାକ୍ତର ଅନ୍ୟ ପାସେଞ୍ଜରଙ୍କୁ ସାହାଯ୍ୟ ମାଗିଲେ । ପାସେଞ୍ଜରମାନେ ତାଙ୍କୁ ହାର୍ଟରେଟ୍ ମନିଟର, ବ୍ଲଡ୍ ପ୍ରେସର ମେସିନ, ପଲ୍ସ ଅକ୍ସିମିଟର ଓ ଗ୍ଲୁକୋଜ ମିଟର ଯୋଗାଇ ଦେଲେ । ରୋଗୀଙ୍କର ଅବସ୍ଥା ଠିକ୍ ହେବାରେ ଲାଗିଲା ଏବଂ ସେ ଡାକ୍ତରଙ୍କ ସହ କଥାବାର୍ତ୍ତା କରିବାକୁ ଲାଗିଲେ ।