fbpx

୪ ଲକ୍ଷର ଗ୍ୟାଜେଟ ଧରି ଚମ୍ପଟ ମାରିଲା ଡେଲିଭରୀ ବୟ: ଚାରିଆଡେ ଖୋଜୁଛି ପୋଲିସ

ବେଙ୍ଗଲୁରୁ: ବେଙ୍ଗଲୁରୁ ପୋଲିସର ନଜର ଏବେ ଜଣେ ଫ୍ଲିପକାର୍ଟ ଡେଲିଭରୀ ବୟ ଉପରେ । ଏହି ଡେଲିଭରୀ ଜଣକ ଏମିତି ସେମିତି ବ୍ୟକ୍ତି ନୁହେଁ, ଜଣେ ମହାନ କଳାକାର । ଯିଏକି ଏକା ସାଙ୍ଗରେ ୪ ଲକ୍ଷ ଟଙ୍କାର ଗ୍ୟାଜେଟ ଚୋରି କରି କୁଆଡେ ଗାଏବ ହୋଇଯାଇଛନ୍ତି । ଆଉ ତା ସାଙ୍ଗରେ ଚୋରି କରି ନେଇଛନ୍ତି ବେଙ୍ଗଲୁରୁ ପୋଲିସର ନିଦ । ତେବେ ଆଇଫୋନ, ଲାପଟପ ଆଣ୍ଡ୍ରଏଡ ମୋବାଇଲ ଭଳି ପ୍ରାୟ ୪ ଲକ୍ଷ ଟଙ୍କାର ଗ୍ୟାଜେଟ ଧରି କୁଆଡେ ଚମ୍ପଟ ମାରିଛି ଏହି ଡେଲିଭରୀ ବୟ । ତେଣୁ ତାଙ୍କୁ ଏବେ ସାରା ଅଞ୍ଚଳରେ ଖୋଜିବାରେ ଲାଗିଛି ବେଙ୍ଗଲୁରୁ ପୋଲିସ ।

ଏହିସବୁ ଗ୍ୟାଜେଟକୁଡିକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ବଦଳରେ ଶେଖ ବବଜନ ଏଗୁଡିକୁ ଧରି ଗାଏବ ହୋଇଛନ୍ତି । ଇ-କମର୍ସ ଫର୍ମକୁ ପିଲା ଯୋଗାଉଥିବା ଏକ ଲଜିଷ୍ଟିକ୍ସ କମ୍ପାନୀରେ ସେ କିଛି ଦିନ ତଳେ ଜଏନ କରିଥିଲେ । ପୂର୍ବ ବେଙ୍ଗଲୁରୁର ବାସିନ୍ଦାଭାବେ ସେ ପରିଚୟ ଦେଇଥିବା ପୋଲିସକୁ ସୂଚନା ଦେଇଛନ୍ତି କମ୍ପାନୀର ଅପରେସନାଲ ମ୍ୟାନେଜର ଅଭିଳାଷ । ଏକ ବିଜ୍ଞାପନ ଜରିଆରେ ବବଜନ ତାଙ୍କୁ ସମ୍ପର୍କ କରିଥିବା କହିଛନ୍ତି ଅଭିଳାଷ । ଏହାପରେ ତାଙ୍କର ସମସ୍ତ ଡକ୍ୟୁମେଣ୍ଟ ଚେକ କରିବା ପରେ ଏଥିରେ ଜଏନ କରିଥିଲେ ବବଜନ । ତେବେ ୨୫ ସେପ୍ଟେମ୍ବରରେ କମ୍ପାନୀ ସହ ଯୋଗ ଦେଇଥିବା ଅଭିଳାଷ କହିଛନ୍ତି । ସେହି ଦିନ କନକ ନଗରରେ ଡ୍ୟୁଟି ପାଇଥିବା ବେଳେ ସେ ମୋଟ ୬ଟି ଅର୍ଡର ଡେଲିଭରୀ କରିଥିଲେ ।

ପରଦିନ ସକାଳେ ବବଜନଙ୍କୁ ଫ୍ଲିପକାର୍ଟ ଲଜିଷ୍ଟିକ୍ସ ୟୁନିଟ ତରଫରୁ ପ୍ରାୟ ୬୧ଟି ପ୍ରଡକ୍ଟ ଦିଆଯାଇଥିଲା । କିନ୍ତୁ ସେଥିରୁ କୌଣସି ବି ଜିନିଷ ଡେଲିଭରୀ ହୋଇନାହିଁ । କମ୍ପାନୀ ତରଫରୁ ତାଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରାଯାଇଥିଲେ ବି ତାଙ୍କ ନମ୍ବର ସ୍ୱିଚ ଅଫ ଆସିଥିଲା । ବବଜନଙ୍କ ଅନୁରୋଧରେ ତାଙ୍କୁ ଗଙ୍ଗାନଗର ଏବଂ ପାଖ ଅଞ୍ଚଳର ଦାୟିତ୍ୱ ଦିଆଯାଇଥିଲା । ତେବେ ଏ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ବବଜନଙ୍କ ବିରୋଧରେ ଆଇପିସି ଧାରା ୪୦୬(ଅପରାଧିକ ବିଶ୍ୱସଘାତ) ଏବଂ ୪୨୦(ଧୋକା) ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.