ନୂଆଦିଲ୍ଲୀ: ଚଳିତବର୍ଷ ସାଧାରଣ ନିର୍ବାଚନକୁ ନେଇ ଭାରତୀୟ ନିର୍ବାଚନ କମିଶନ୍ ତରଫରୁ ଆସିଛି ଏକ ବଡ଼ ସୂଚନା । ଆସନ୍ତା ଏପ୍ରିଲ ମାସରେ ନିର୍ବାଚନ ହେବା ନେଇ ଇସି ସମ୍ଭାବନା ଜାରି କରିଛନ୍ତି । ଏପ୍ରିଲ ୧୬ ତାରିଖକୁ ସମ୍ଭାବ୍ୟ ନିର୍ବାଚନ ତାରିଖ ଭାବରେ ସୂଚନା ଦେଇଛନ୍ତି ଭାରତର ନିର୍ବାଚନ ଅଧିକାରୀ । ତେବେ ଏହି ତାରିଖକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନଙ୍କୁ ପ୍ରସ୍ତୁତି କରିବା ପାଇଁ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ନିର୍ବାଚନ ଅଧିକାରୀଙ୍କ ଚିଠି ଭାଇରାଲ ହେବା ପରେ ଏହାକୁ ନେଇ ବର୍ତ୍ତମାନ ସେ ସ୍ପଷ୍ଟୀକରଣ କରିଛନ୍ତି ।
ଆସନ୍ତା ଏପ୍ରିଲ ୧୬ ତାରିଖରେ ଲୋକସଭା ଇଲେକ୍ସନ ହେବା ନେଇ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ଏକ ଚିଠି ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ଏହି ଚିଠି ଭାଇରାଲ ହେବା ପରେ ଇଲେକ୍ସନ କମିଶନ୍ ଏ ନେଇ ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ଏପ୍ରିଲ ୧୬ ତାରିଖରେ ନିର୍ବାଚନ ହେବ ବୋଲି ଘୋଷଣା କରି ନଥିଲେ ମଧ୍ୟ ଏହାକୁ ସମ୍ଭାବ୍ୟ ତାରିଖ ବୋଲି ଦର୍ଶାଇଛନ୍ତି ନିର୍ବାଚନ ଅଧିକାରୀ । ସେ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ‘ ଏପ୍ରିଲ ୧୬ ତାରିଖକୁ ଆସନ୍ତା ନିର୍ବାଚନ ପାଇଁ ସମ୍ଭାବ୍ୟ ତାରିଖ ଭାବରେ ବିବେଚନା କରାଯାଉଛି ।’
Some media queries are coming referring to a circular by @CeodelhiOffice to clarify whether 16.04.2024 is tentative poll day for #LSElections2024
It is clarified that this date was mentioned only for ‘reference’for officials to plan activities as per Election Planner of ECI.— CEO, Delhi Office (@CeodelhiOffice) January 23, 2024
ତେବେ ଏ ନେଇ ଦିଲ୍ଲୀର ୧୧ଟି ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କୁ ଇଲେକ୍ସନ କମିଶନ୍ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହାପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଦିଲ୍ଲୀ ସିଇଓ ଏକ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି ଯେ, ଏପ୍ରିଲ ୧୬କୁ ଏକ ସମ୍ଭାବ୍ୟ ତାରିଖ ଭାବରେ ବିବେଚନା କରାଯାଉଛି । ତେବେ ନିର୍ବାଚନର ପ୍ରକୃତ ତାରିଖ ଆଗାମୀ ଦିନରେ ନିର୍ଦ୍ଧାରିତ ସମୟରେ ସ୍ପଷ୍ଟ କରାଯାଇ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି ।