fbpx

୫୦ତମ ଶତକ ପରେ ବିରାଟଙ୍କୁ କୁଣ୍ଢାଇ ପକାଇଲେ ‘ଭଗବାନ୍’: ପ୍ରଥମ ଦେଖା ମନେ ପକାଇଲେ ସଚିନ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ର ସେମି ଫାଇନାଲରେ ଇତିହାସ ରଚିଛନ୍ତି ଭାରତୀୟ ଦଳର କିଙ୍ଗ କୋହଲି । ନ୍ୟୁଜିଲାଣ୍ଡ ବିପକ୍ଷରେ ହାସଲ କରିଛନ୍ତି ଦିନିକିଆ କ୍ୟାରିୟରର ୫୦ତମ ଶତକ । ଏହି ଶତକୀୟ ପାଳି ସହିତ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ୪୯ ଶତକ ମାଇଲଷ୍ଟୋନକୁ ପଛରେ ପକାଇଛନ୍ତି ବିରାଟ କୋହଲି । ୧୦୬ ବଲରୁ ଏହି ଐତିହାସିକ ଶତକ ହାସଲ କରି ସେ ସୃଷ୍ଟି କରିଛନ୍ତି ନୂଆ ରେକର୍ଡ । ଏହାପରେ ସ୍ୱୟଂ କ୍ରିକେଟର ଭଗବାନ ମଧ୍ୟ ତାଙ୍କର ଏହି ପାଳିକୁ ପ୍ରଶଂସା କରିଛନ୍ତି । ଏହି ଶତକୀୟ ଇନିଂସ ପରେ ବିରାଟ କୋହଲିଙ୍କୁ କୁଣ୍ଢାଇ ପକାଇଛନ୍ତି କ୍ରିକେଟ୍ ର ଭଗବାନ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ।

ଭାରତର ପ୍ରଥମ ଇନିଂସ ପରେ ସଚିନ୍ ତେନ୍ଦୁଲକରଙ୍କୁ ଭେଟିଛନ୍ତି ସେଞ୍ଚୁରୀ କିଙ୍ଗ ବିରାଟ କୋହଲି । ସେମି ଫାଇନାଲରେ ଐତିହାସିକ ଶତକ ପାଇଁ ସଚିନ୍ ବିରାଟଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ ପଡ଼ିଆରେ ମଧ୍ୟ ସଚିନ କୋହଲିଙ୍କୁ ଶତକର ଶୁଭକାମନା ଦେଇଛନ୍ତି । ତେବେ ପାଖରେ ନିଜର ପ୍ରେରଣାକୁ ପାଇ କୋହଲି ସଚିନଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଛନ୍ତି । କୋହଲିଙ୍କ ଏକ ଫଟୋ ସେୟାର କରି ତେନ୍ଦୁଲକର ବିରାଟଙ୍କ ସହ ତାଙ୍କର ପ୍ରଥମ ଦେଖା ବିଷୟରେ ଲେଖିଛନ୍ତି । ସଚିନ୍ କହିଛନ୍ତି ଯେ, “ମୁଁ ଯେବେ ପ୍ରଥମ ଥର ପାଇଁ ଭାରତୀୟ ଡ୍ରେସିଂ ରୁମରେ କୋହଲିଙ୍କୁ ଦେଖିଥିଲି, ସେତେବେଳେ ଦଳର କିଛି ସାଥୀ ଖେଳାଳି ତାଙ୍କ ସହ ଥଟ୍ଟା କରିଥିଲେ । ସେମାନେ କୋହଲିଙ୍କୁ ମୋ ପାଦ ଛୁଇଁ ଆଶୀର୍ବାଦ ନେବାକୁ କହିଥିଲେ । ଏମିତି କଲେ କ୍ୟାରିୟରରେ ସଫଳତା ମିଳିପାରିବ । ସେଦିନ ମୁଁ ମୋ ହସକୁ ସମ୍ଭାଳିପାରି ନଥିଲି । କିନ୍ତୁ ବହୁତ କମ୍ ସମୟ ଭିତରେ ବିରାଟ ନିଜ ଟାଲେଣ୍ଟ ଏବଂ ଦକ୍ଷତା ସହ ମୋ ହୃଦୟକୁ ଛୁଇଁଯାଇଛନ୍ତି । ଆଜି ସେହି ଯୁବକକୁ ‘ବିରାଟ’ ଖେଳାଳି ଭାବରେ ଦେଖି ମୁଁ ଖୁବ ଖୁସି ବୋଲି କହିଛନ୍ତି ସଚିନ୍ ତେନ୍ଦୁଲକର ।

ଆଜିର ଏହି ସେମି ଫାଇନାଲରେ କିଙ୍ଗ କୋହଲିଙ୍କ ସହ ଶ୍ରେୟସ ଆୟର ମଧ୍ୟ ଶତକ ହାସଲ କରିଛନ୍ତି । ବିରାଟ କୋହଲି (୧୧୭) ଏବଂ ଶ୍ରେୟସ୍ ଆୟର (୧୦୫) ରୋହିତ ଶର୍ମା (୪୭) ଏବଂ ଶୁବମାନ ଗିଲ (୮୦) ଙ୍କ ଚମତ୍କାର ଓପନିଂ ପରେ ଏକ ବ୍ୟାଟିଂ ପ୍ରଦର୍ଶନକୁ ଲଙ୍ଗର କରିଥିଲେ। କେଏଲ ରାହୁଲ ମଧ୍ୟ ୩୯ ରନ ସଂଗ୍ରହ କରି ବ୍ୟାଟ୍ସମ୍ୟାନଙ୍କ ସହ ବହୁମୂଲ୍ୟ ଅବଦାନ ଦେଇଛନ୍ତି । ତେବେ ଦମଦାର ବ୍ୟାଟିଂ ସହ ନ୍ୟୁଜିଲାଣ୍ଡକୁ ୩୯୮ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.