fbpx

ସମଲିଙ୍ଗୀ ବିବାହ ଅନୁମତି ପାଇଁ ମିଳିଲା ଗ୍ରୀନ ସିଗନାଲ

Advertisement

ବ୍ୟାଙ୍କକ: ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । ଜଣେ ଆଉ ଜଣକୁ ସ୍ୱାଧୀନ ଚିନ୍ତାଧାରାରେ ବିବାହ କରୁ ବୋଲି ଅନେକ ସ୍ଥାନରେ ଦାବି ମଧ୍ୟ ହୋଇଆସୁଛି । ତେବେ ଏହି ଅନୁମତିକୁ ନେଇ ଭାରତ ସମେତ ଥାଇଲାଣ୍ଡ ଭଳି ଅନେକ ଦେଶରେ ଆଲୋଚନା ଲାଗି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଥାଇଲାଣ୍ଡରେ ସମଲିଙ୍ଗୀ ବିବାହ ଅନୁମତି ପାଇଁ ଗ୍ରୀନ ସିଗନାଲ ମିଳିଛି । ଏଥିପାଇଁ ଥାଇଲାଣ୍ଡର କ୍ୟାବିନେଟ ମଙ୍ଗଳବାର ଏହାର ସିଭିଲ କୋଡରେ ସଂଶୋଧନକୁ ଅନୁମୋଦନ କରିଛି। ଆସନ୍ତା ମାସରେ ସଂସଦରେ ଏହି ଡ୍ରାଫ୍ଟ ଉପସ୍ଥାପିତ ହେବ ବୋଲି ଆଶା କରାଯାଉଛି। ଡେପୁଟି ସରକାରୀ ମୁଖପାତ୍ର କରୋମ ପୋଲପର୍ନକଲାଙ୍ଗ କହିଛନ୍ତି ନାଗରିକ ତଥା ବାଣିଜ୍ୟିକ ସଂହିତା ସଂଶୋଧନ ଦ୍ୱାରା ସମଲିଙ୍ଗୀ ଦମ୍ପତିଙ୍କ ପାଇଁ ପୁରୁଷ ଏବଂ ସ୍ତ୍ରୀ, ସ୍ୱାମୀ-ସ୍ତ୍ରୀ ଶବ୍ଦ ବ୍ୟକ୍ତି ଏବଂ ବିବାହ ସାଥୀ ଭାବେ ପରିବର୍ତ୍ତନ କରାଯିବ। ସେ କହିଛନ୍ତି ଏହା ସମଲିଙ୍ଗୀ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରି ପରିବାର ଗଠନ କରିବାର ଅଧିକାର ଗ୍ୟାରେଣ୍ଟି ଦେବ। ସମଲିଙ୍ଗୀ ଦମ୍ପତିଙ୍କୁ ମଧ୍ୟ ସ୍ୱୀକୃତି ଦେବା ପାଇଁ ପେନସ୍‌ନ ପାଣ୍ଠି ଆଇନରେ ସଂଶୋଧନ କରାଯିବ ବୋଲି ସେ କହିଛନ୍ତି।

ତେବେ ଡିସେମ୍ବର ୧୨ ରେ ସଂସଦରେ ଆଇନର ଡ୍ରାଫ୍ଟ ପ୍ରସ୍ତାବ ଆଗତ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ ଗଣମାଧ୍ୟମକୁ କହିଛନ୍ତି। ସଂସଦର ଅନୁମୋଦନ ଏବଂ ରାଜା ମହା ଭାଜିରାଲୋଙ୍ଗକର୍ନଙ୍କ ସମର୍ଥନ ପରେ ଯଦି ଏହା ଆଇନରେ ପରିଣତ ହୁଏ, ତେବେ ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ତାଇୱାନ ଏବଂ ନେପାଳ ପରେ ଥାଇଲାଣ୍ଡ ଏସିଆରେ ତୃତୀୟ ଦେଶ ହେବ।

ସୂଚନା ଥାଉକି, ଭାରତରେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବିବାହ ଏକ ମୌଳିକ ଅଧିକାର ନୁହେଁ । ଏହି ପ୍ରସଙ୍ଗରେ ଦେଶର ସଂସଦ ନିଷ୍ପତ୍ତି ନେଉ । ସଂସଦ ଆଇନ ନ ଆଣିବା ଯାଏ ଏନେଇ ସ୍ୱୀକୃତି ଦେଇ ହେବନି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ସେପଟେ ପାଖାପାଖି ୧୦ଟି ଦେଶର କୋର୍ଟ ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରଦାନ କରିଛନ୍ତି । ସେହିପରି ୨୨ଟି ଦେଶରେ ଆଇନ ତିଆରି କରି ତାହାକୁ ସ୍ୱୀକୃତି ଦିଆଯାଇଛି ।

 

Get real time updates directly on you device, subscribe now.