ଲକ୍ଷ୍ନୌ,୧ା୭: ଉତ୍ତରପ୍ରଦେଶର ଗାଜିଆବାଦ ସାହିବାବାଦରେ ବିବାହକୁ ନେଇ ଚକିତ କରିଦେବା ପରି ଖବର ସାମ୍ନାକୁ ଆସିଛି । କୁଲଦୀପ ଗୁପ୍ତା ନାମକ ଜଣେ ବ୍ୟକ୍ତି ବିବାହ ନାମରେ ଏକ ବଡ଼ ଠକେଇ କରିଛନ୍ତି। ସେ ଅନଲାଇନ୍ ମ୍ୟାଟ୍ରିମୋନିଆଲ୍ ସାଇଟ୍ ମାଧ୍ୟମରେ ଛାଡପତ୍ରପ୍ରାପ୍ତ ଏବଂ ବିଧବା ମହିଳାଙ୍କୁ ଯୋଗାଯୋଗ କରି ବିବାହ କରୁଥିଲେ।
ପୋଲିସ ତଦନ୍ତରୁ ଜଣାପଡିଛି ଯେ, ବିବାହରେ ସମସ୍ତେ ୭ ଫେରା ନିଅନ୍ତି ମାତ୍ର ଏହି କୁଲଦୀପ ଗୁପ୍ତା ନାମକ ଜଣେ ବ୍ୟକ୍ତି ୩୫ ଫେରା ନେଇଛନ୍ତି । ଅର୍ଥାତ୍ ଜଣଙ୍କ ସହ ୭ ଫେରାର ଲେଖାଏ ୫ ଜଣଙ୍କ ସହ ୩୫ ଫେରା ନେଇ ବିବାହ କରି କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ବିବାହର କିଛି ମାସ ପରେ, ସେ ମହିଳାମାନଙ୍କୁ ମାରଧର କରୁଥିଲେ ଏବଂ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ପୀଡିତ ମହିଳାଙ୍କ ଅଭିଯୋଗ କ୍ରମେ, ପୋଲିସ କୁଲଦୀପ ତାଙ୍କ ପରିବାର ସଦସ୍ୟ ଏବଂ ଜଣେ ଓକିଲଙ୍କ ବିରୋଧରେ ଠକେଇ, ଷଡ଼ଯନ୍ତ୍ର ଏବଂ ମହିଳାମାନଙ୍କୁ ହଇରାଣ କରିବା ଅଭିଯୋଗରେ ମାମଲା ରୁଜୁ କରିଛି। ପୋଲିସ ଅନଲାଇନ୍ ବିବାହ କରିବା ସମୟରେ ସତର୍କ ରହିବାକୁ ଲୋକଙ୍କୁ ନିବେଦନ କରିଛି ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି।