ନୂଆଦିଲ୍ଲୀ: ଆଗକୁ ଆସୁଛି ଚମ୍ପିଆନ୍ସ ଟ୍ରଫି-୨୦୨୫ । ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତିପର୍ବ ଆରମ୍ଭ କରି ସାରିଛନ୍ତି । ଖୁବଶୀଘ୍ର ଏହି ବଡ଼ ଇଭେଣ୍ଟରେ ମହାଲଢେଇ ଦେଖିବାକୁ ମିଳିବ । ତେବେ ଏହାପୂର୍ବରୁ ପାକିସ୍ତାନ ଦଳକୁ ଲାଗିଛି ବଡ଼ ଝଟକା । ଦଳ ନୂଆ ଅଧିନାୟକ ପଦ ଚୟନ କରିବା ପରେ କୋଚ୍ ପଦବୀରୁ ଇସ୍ତଫା ଦେଇଛନ୍ତି ଗ୍ୟାରୀ କର୍ଷ୍ଟନ । ୨ ବର୍ଷ ପାଇଁ ଚୁକ୍ତି କରିଥିବା କର୍ଷ୍ଟନ ମାତ୍ର ୬ ମାସ ଦାୟିତ୍ୱ ତୁଲାଇବା ପରେ ଇସ୍ତଫା ପ୍ରଦାନ କରିଛନ୍ତି । ପାକିସ୍ତାନ ଟିମ ସହ ମତଭେଦ ଯୋଗୁଁ ସେ ପଦ ଛାଡ଼ିଥିବା ସୂଚନା ମିଳିଛି । ତେବେ କୋଚ୍ ପଦବୀ ଶୂନ୍ୟ ହେବା ପରେ ପାକିସ୍ତାନ ପାଇଁ ଏହା ଏବେ ଏକ ଚିନ୍ତାର ବିଷୟ ପାଲଟିଛି ।
ରିପୋର୍ଟ ଅନୁସାରେ, ଦଳ ଚୟନରେ କୋଚଙ୍କ ହସ୍ତକ୍ଷେପ ଉପରେ ରୋକ ଲଗାଇଛି ପାକିସ୍ତାନ ବୋର୍ଡ । ଏହାପରେ ଗ୍ୟାରୀ କର୍ଷ୍ଟନ ଏବଂ ପିସିବି ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା । ଏ ନେଇ ଗିଲେସ୍ପି ମଧ୍ୟ ନିରାଶା ଜାହିର କରିଛନ୍ତି । ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ହୋମ ଟେଷ୍ଟ ସମୟରେ ଗିଲେସ୍ପି କହିଥିଲେ ଯେ, ମୁଁ ବର୍ତ୍ତମାନ ଜଣେ ମ୍ୟାଚ୍ ଡେ’ ଆନାଲିଷ୍ଟ ପାଳଟି ଯାଇଛି । ଏଥିପାଇଁ ମୁଁ ଚୁକ୍ତି ସ୍ୱାକ୍ଷର କରି ନଥିଲି । ସେପଟେ ଏହାକୁ ନେଇ କର୍ଷ୍ଟନ କୌଣସି ସାର୍ବଜନିକ ବୟାନ ଦେଇନାହାନ୍ତି । କିନ୍ତୁ ଏସବୁକୁ ନେଇ ସେ ନିରାଶା ରହିଥିବା ଜାହିର କରିଛନ୍ତି ।
ଏହାମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିସାରିଛି ପାକିସ୍ତାନ । ଏଥିରେ ବାବର ଆଜମଙ୍କ ସ୍ଥାନରେ ୱକେଟ କିପର ବ୍ୟାଟର ମହମ୍ମଦ ରିଜୱାନଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି । ପିସିବିର ଖେଳାଳି ଚୟନରେ କୋଚଙ୍କ ଅନୁପସ୍ଥିତି ଗ୍ୟାରୀ କର୍ଷ୍ଟନଙ୍କ ସମେତ ଅନ୍ୟ କୋଚଙ୍କୁ ମଧ୍ୟ ନିରାଶ କରିଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ପରେ ପାକିସ୍ତାନ ତୃତୀୟ ଚୟନ କମିଟି ଗଠନ କରିଥିଲା । ଏହି ଟିମରେ ଆକିବ ଜାବେଦ, ଅଲୀମ ଦାର, ଅଜହର ଅଲୀ, ଅସଦ ଶଫିକ ଏବଂ ହସନ ଚୀମା ସାମିଲ ରହିଛନ୍ତି ।