fbpx

OSEPA ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ

କଟକ: କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତିରେ ଅନିୟମିତତା ମାମଲାରେ ମଙ୍ଗଳବାର ହାଇକୋର୍ଟ ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ଅଥୋରିଟି(OSEPA)ର ମେରିଟ୍ ଲିଷ୍ଟକୁ ଖାରଜ କରିଛନ୍ତି । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କରିଦେଇଛନ୍ତି ହାଇକୋର୍ଟ ।

୨୦୨୩ ଅକ୍ଟୋବର ୨୩ ତାରିଖରେ ପ୍ରାୟ ୨୦ ହଜାର ଜୁନିଅର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ କିଛିଦିନ ପୂର୍ବେ ଓସେପା ପକ୍ଷରୁ ୧୮ ହଜାର ୮୦୫ ଜଣ ପ୍ରାର୍ଥୀଙ୍କ ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା। ଏଥିରେ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଶାୟୀ ପ୍ରାର୍ଥୀମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ପାଇଁ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି ତାହା ଜଣାଇବାକୁ ପ୍ରାର୍ଥୀମାନେ ଦାବି କରିଥିଲେ। ପରୀକ୍ଷାରେ କଟଅଫ ମାର୍କ କେତେ ରହିଥିଲା ଓ କାହାର କେତେ ମାର୍କ ରହିଛି ସେ ସବୁର ତଥ୍ୟ ଦେବାକୁ ଆଶାୟୀ ପ୍ରାର୍ଥୀମାନେ ଦାବି କରି ହାଇକୋର୍ଟ ଯାଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ଗତ ଜାନୁଆରୀ ୧୯ରେ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ।

Get real time updates directly on you device, subscribe now.