ସ୍ୱାମୀ ଧରିଲା ହାତ, ଦିଅର ଧରିଲା ଗୋଡ, ବାପା ବେକ ଚିପି ଝିଅକୁ ମାରିଲା

ପର ପୁରୁଷ ସହ ସମ୍ପର୍କ ରଖିଥିବା ଜାଣି ପରିବାର ଲୋକେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କଲେ

ଉତ୍ତରପ୍ରଦେଶ: ସ୍ୱାମୀ ଧରିଲା ହାତ, ଦିଅର ଧରିଲା ଗୋଡ, ଛଟପଟ ହେଉଥିବା ଅବସ୍ଥାରେ ବାପା ବେକ ଚିପି ଝିଅକୁ ମାରିଲା। ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାର ଖୈରାଗଡ଼ର ଏକ ଗାଁରେ। ସେଠାରେ ଜଣେ ମହିଳାଙ୍କୁ ତାଙ୍କ ପରିବାରର ସଦସ୍ୟମାନେ ମିଶି ନିର୍ମମ ଭାବରେ ହତ୍ୟା କରିଛନ୍ତି।

ପୁରା ଘଟଣା କଣ?
ମେ 31ରେ ଖଇରାଗଡ଼ର ଭୋପୁର ଗାଁରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସ ମୃତଦେହର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କଲା ପରେ ମୃତଦେହର ଚିହ୍ନଟ ହୋଇଥିଲା। ଏହା ପରେ, ମହିଳାଙ୍କ ବାପା କୋମଲ ସିଂହ ପୋଲିସ ସହିତ ଯୋଗାଯୋଗ କରି ସେ ଧୋଲପୁରର ବାସଇ ନବାବ ଗାଁର ବାସିନ୍ଦା ଏବଂ ମହିଳାଙ୍କ ନାମ ସୁନିତା ବୋଲି କହିଥିଲେ। ଏହା ପରେ ସମଗ୍ର ପରିବାର ଆଗ୍ରାରେ ପହଞ୍ଚିଥିଲେ।

ସେଠାରେ ପହଞ୍ଚିବା ପରେ, ସୁନୀତାଙ୍କ ବାପା ତାଙ୍କ ମୃତଦେହ ଦେଖି କାନ୍ଦିବାର ଅଭିନୟ କରିଥିଲେ। ପୋଲିସ ପରିବାରର ସଦସ୍ୟମାନଙ୍କୁ ପଚରାଉଚରା କରିବା ପରେ ସେମାନେ କହିଥିଲେ ଯେ, ଖୈରାଗଡ଼ର ବାସିନ୍ଦା ପବନଙ୍କ ସହିତ ସୁନୀତାଙ୍କର ବିବାହ ହୋଇଥିଲା। କିନ୍ତୁ ସେମାନଙ୍କ ଭିତରେ ପ୍ରାୟତଃ ଝଗଡ଼ା ହେଉଥିଲା।

ତେଣୁ, ସୁନୀତା କିଛି ଦିନ ଧରି ତାଙ୍କ ବାପଘରେ ରହୁଥିଲେ। ପୋଲିସକୁ କିନ୍ତୁ ବାପାଙ୍କ ଉତ୍ତର ଉପରେ ସନ୍ଦେହ ଆସିଥିଲା। ତା ପରେ ସେ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲେ।

ସୁନିତାଙ୍କ ଭଉଣୀ ପୂଜା, ପୁଲିସକୁ ଫୋନ କରି କହିଥିଲେ ଯେ, ଆମେ 3ଭଉଣୀ ଏବଂ ସମସ୍ତେ ଖଇରାଗଡ଼ରେ ବିବାହ କରିଛୁ। ସୁନିତାଙ୍କ ବିଷୟରେ ଯେତେବେଳେ ପୂଜାଙ୍କୁ ପଚରାଗଲା ସେତେବେଳେ ସେ କହିଲେ କି, ସୁନୀତାଙ୍କ ସ୍ୱାମୀ ତାଙ୍କୁ ବହୁତ ମାରୁଥିଲେ ଏବଂ ସୁନୀତା ତାଙ୍କ ସମ୍ପର୍କୀୟ ଦିଅର ବିଷ୍ଣୁଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସେ ଦୁହେଁ ପରସ୍ପରକୁ ବହୁତ ଭଲ ମଧ୍ୟ ପାଉଥିଲେ।

ପୋଲିସ ପୂଜା ଠାରୁ ବିଷ୍ଣୁଙ୍କ କଥା ଜାଣି ସୁନୀତାଙ୍କ ବିଷୟରେ ଜାଣିବା ପାଇଁ ତାଙ୍କୁ ଫୋନ କରିଥିଲା। ବିଷ୍ଣୁ ପୋଲିସକୁ କହିଥିଲେ ଯେ ସୁନୀତା ତାଙ୍କୁ ମେ 29 ତାରିଖ ଶୁକ୍ରବାର ରାତିରେ ଫୋନ୍ କରିଥିଲେ ଏବଂ କହିଥିଲେ ତାଙ୍କ ବାପା ଏବଂ ସ୍ୱାମୀ ତାଙ୍କୁ ମାରିଦେବେ। ଏତିକି କହି ସେ ଫୋନ୍ କାଟି ଦେଇଥିଲେ।

ଏହା ଶୁଣି ବିଷ୍ଣୁ ସୁନୀତାଙ୍କ ବାପାଙ୍କୁ ଅନେକ ଥର ଫୋନ୍ କରିଥିଲେ, କିନ୍ତୁ ସେ ଥରେ ବି ଫୋନ୍ ଉଠାଇ ନଥିଲେ। ତା ପରେ ବିଷ୍ଣୁ ସୁନୀତାଙ୍କ ଭଉଣୀ ପୂଜାଙ୍କୁ ଫୋନ କରି ଏ ବିଷୟରେ ଜଣାଇଥିଲେ।

ବିଷ୍ଣୁଙ୍କ ଠାରୁ ଏହା ଶୁଣି ପୂଜା ତାଙ୍କ ମାଆଙ୍କୁ ଏହି କଥା ପଚାରିଥିଲେ। ତାଙ୍କ ମା ଭୟରେ ସବୁ କଥା ପୂଜାଙ୍କୁ କହିଦେଇଥିଲେ। ସେ କହିଥିଲେ ତାଙ୍କ ବାପା, ସ୍ୱାମୀ ଏବଂ ଦିଅର ସହ ମିଶି ସୁନିତାଙ୍କୁ ମାରିଦେଇଛନ୍ତି। ସବୁ କଥା ପୁଲିସ ଜାଣିଲା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରିଥିଲା।

ତା’ପରେ ବାପା, ସ୍ୱାମୀ ଏବଂ ଦିଅର ମହିଳାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ସୁନିତାଙ୍କ ବାପା କହିଥିଲେ ଯେ ଝିଅର ଅବୈଧ ସମ୍ପର୍କ ଯୋଗୁଁ ତାଙ୍କର ବଦନାମ ହେଉଛି। ତେଣୁ ନିଜର ସମ୍ମାନ ରକ୍ଷା କରିବା ପାଇଁ, ସେ ତାଙ୍କ ଝିଅକୁ ହତ୍ୟା କରିବାକୁ ଯୋଜନା କଲେ ଏବଂ ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କ ସହିତ ମିଶି ଧୋଲପୁରରେ ହିଁ ତାଙ୍କୁ ହତ୍ୟା କଲେ। ଏହା ପରେ, ସେ ଏବଂ ସ୍ୱାମୀ ସୁନିତାଙ୍କ ମୃତଦେହକୁ ଏକ ବାଇକରେ ଖଇରାଗଡ଼କୁ ନେଇ ଫୋପାଡ଼ି ଦେଲେ।