fbpx

ଆଶ୍ଚର୍ଯ୍ୟକର ATM ! ଗ୍ରାହକଙ୍କୁ ୫ ଗୁଣ ଅଧିକ ଟଙ୍କା ଦେଉଛି ମେସିନ, ୧୦୦୦ ମାଗିଲେ ମିଳୁଛି ୫୦୦୦

ନୂଆଦିଲ୍ଲୀ: ଦୁନିଆ ଡିଜିଟାଲ ହେବା ସହ ହ୍ରାସ ପାଉଛି ଏଟିଏମର ବ୍ୟବହାର । ବର୍ତ୍ତମାନ ଖୁବ କମ୍ ଲୋକ ଏଟିଏମରୁ ଟଙ୍କା ଉଠାଉଥିବାର ଦେଖିବାକୁ ମିଳୁଛି । ତେବେ ଗୋଟିଏ ସ୍ଥାନରେ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଲାଗିଛି ଲମ୍ବା ଲାଇନ୍ । କାରଣ ଏହି ଏଟିଏମ ମେସିନରୁ ବାହାରୁଛି ପୁଳା ପୁଳା ଟଙ୍କା । ଯେତିକି ଟଙ୍କା ଉଠାଇବା ପାଇଁ ମଗା ଯାଉଛି, ଏହାର ୫ ଗୁଣା ଅଧିକ ଟଙ୍କା ଏଟିଏମରୁ ବାହାରୁଛି । ସାଧାରଣତଃ ଏଟିଏମକୁ ଯେତିକି ଟଙ୍କା ଉଠାଇବା ପାଇଁ ଏଣ୍ଟର କରାଯାଏ, ମେସିନ ସେତିକି ଟଙ୍କା ହିଁ ବାହାରିଥାଏ । ତେଣୁ ଏହି ଏଟିଏମକୁ ନେଇ ବର୍ତ୍ତମାନ ସବୁଠୁ ଚର୍ଚ୍ଚା ।

ଉତ୍ତରପ୍ରଦେଶ ଆଗ୍ରାର ଶାସ୍ତ୍ରୀପୁରମରେ ପ୍ରାଚୀ ଏନକ୍ଲେଭ ସ୍ଥିତ ଏକ ଏକ ଏଟିଏମ ମେସିନ ରହିଛି । ତେବେ ଏହି ମେସିନ ବର୍ତ୍ତମାନ ଖୁବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ଏଟିଏମରୁ ଏଣ୍ଟର କରିଥିବା ରାଶି ଅପେକ୍ଷା ବାହାରୁଛି ୫ ଗୁଣ ଅଧିକ ଟଙ୍କା । ଅର୍ଥାତ୍ ୧ ହଜାର ଟଙ୍କା ପାଇଁ ଏଟିଏମରେ ଏଣ୍ଟର କଲେ ମେସିନରୁ ୫୦୦୦ ଟଙ୍କା ପାଇ ପାରୁଛନ୍ତି ଗ୍ରାହକ । ସେହିପରି ଜଣେ ବ୍ୟକ୍ତି ୫୦୦୦ ଟଙ୍କା ଉଠାଇବା ପାଇଁ ଆସିଥିବା ବେଳେ ଏଟିଏମରୁ ଏହାର ୫ ଗୁଣ ଅର୍ଥାତ୍ ୨୫,୦୦୦ ଟଙ୍କା ନେଇ ଘରକୁ ଫେରିଛନ୍ତି । ତେବେ ଏହି ଘଟଣା ସାମନାକୁ ଆସିବା ପରେ ବର୍ତ୍ତମାନ ଏଟିଏମ ମେସିନ ଆଗରେ ଗ୍ରାହକଙ୍କର ଲମ୍ବା ଲାଇନ ଲାଗିଛି । ଏହାପରେ ଏ ମାମଲା ପୋଲିସ ନିକଟରେ ପହଞ୍ଚିବାରୁ ତଦନ୍ତକାର୍ଯ୍ୟ ଆରମ୍ଭ ହୋଇଛି । ଏହା ସହିତ ଏଟିଏମରୁ ଅଧିକ ଟଙ୍କା ଉଠାଇ ଘରକୁ ଯାଇଥିବା ବ୍ୟକ୍ତିମାନଙ୍କୁ ଖୋଜୁଛି ପୋଲିସ । ତେବେ ୪ ଜଣ ଏହି ଟଙ୍କା ବ୍ୟାଙ୍କରେ ଫେରସ୍ତ କରି ସାରିଛନ୍ତି ।

ବର୍ତ୍ତମାନ ଏହି ଘଟଣା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଟିଏମ ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ହୋଇଥିଲା । ଜଣେ ବ୍ୟକ୍ତି ପ୍ରଥମେ ୧୦୦୦ ଏଣ୍ଟ୍ରି କରିବାରୁ ତାଙ୍କୁ ୫୦୦୦ ଟଙ୍କା ମିଳିଥିଲା । ତେଣୁ ସେ ପୁଣିଥରେ ଏଣ୍ଟ୍ରି କରିଥିଲେ ଏବଂ ଏହାର ଫଳ ମଧ୍ୟ ସମାନ ରହିଥିଲା । ଏହାପରେ ଜଣକ ପରେ ଜଣେ ବ୍ୟକ୍ତି ଏହାର ଲାଭ ଉଠାଇବାରେ ବ୍ୟସ୍ତ ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା ୧,୭୨,୦୦୦ ଟଙ୍କା ଏହି ଏଟିଏମରୁ ଉଠା ଯାଇଥିବା ସିଏମଏସ ପକ୍ଷରୁ ସୂଚନା ଦିଆ ଯାଇଛି । ତେବେ ଘଟଣା ଜଣାପଡିବା ପରେ ଏଟିଏମକୁ ବନ୍ଦ କରି ଦିଆଯାଇଛି ଏବଂ ଅଧିକ ଟଙ୍କା ଉଠାଇ ନେଇଥିବା ବ୍ୟକ୍ତିମାନଙ୍କୁ ଖୋଜାଖୋଜି ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.