fbpx

ଆଜି ସର୍ବାଧିକ ୩୬.୪ ଡିଗ୍ରୀ ଛୁଇଁଲା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ମାଘ ମାସରେ ବାଘ ଭଳି ଖରା। ପୂର୍ବ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସବୁଠି ଆରମ୍ଭ ହୋଇଯାଇଛି ତାତି। ଆଜି ସର୍ବାଧିକ ୩୬.୪ ଡିଗ୍ରୀ ଛୁଇଁଲା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା। ସେହିପରି କଟକରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ସେଲ୍‌ସିୟସ ରେକର୍ଡ ହୋଇଛି। ଅନ୍ୟପଟେ ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ମଧ୍ୟ ରେକର୍ଡ ହୋଇଛି। ତେବେ ଏଭଳି ପରିସ୍ଥିତିରେ ଆଗକୁ ତାପମାତ୍ରା କେତେ ବୃଦ୍ଧି ହେବ ତାହା ଏବେ ଠାରୁ ସମସ୍ତଙ୍କ ଚିନ୍ତା ବଢ଼ାଇଛି।

ଏଣୁ ତାପମାତ୍ରାକୁ ଦୃଷ୍ଟିରେ ରଖି ପୂର୍ବରୁ ଅଂଶୁଘାତ ପାଇଁ ପ୍ରସ୍ତୁତ ରହିବାକୁ ପ୍ରତି ଜିଲ୍ଲାକୁ ଷ୍ଟାଣ୍ଡାର୍ଡ ଆଡଭାଇଜରି ବା SOP ଜାରି ହୋଇଛି । ଆଗକୁ ଅଂଶୁଘାତ ଭଳି ସ୍ଥିତି ଆସିଲେ, ଆଉ ଥରେ ରିମାଇଣ୍ଡର ଦିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ପୂର୍ବରୁ ଜାରି SOPରେ ଲୋକଙ୍କୁ ସତର୍କ କରାଇବା ସହ ମେଡିକାଲ ପ୍ରସ୍ତୁତ ରଖିବା, ଆବଶ୍ୟକ ଔଷଧ ମହଜୁଦ ରଖିବା, ପ୍ରତି ହସ୍ପିଟାଲରେ ଅଂଶୁଘାତ ଲାଗି ଡେଡିକେଟେଡ ବେଡ୍ ରଖାଯିବାକୁ ନିର୍ଦ୍ଦେଶ ଯାଇଛି। ଅଂଶୁଘାତ ସମ୍ପର୍କିତ ତଥ୍ୟ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ଆଗକୁ ଏନେଇ ପ୍ରତି ଜିଲ୍ଲାକୁ ପୁଣି ଥରେ ରିମାଇଣ୍ଡର ଦିଆଯିବ । ତେବେ ବରିଷ୍ଠ ନାଗରିକ, ମଦ୍ୟପାନ କରୁଥିବା ବ୍ୟକ୍ତି ଓ କୋମରବିଡ ରୋଗୀଙ୍କୁ ଅଂଶୁଘାତ ଆଶଙ୍କା ଅଧିକ ରହିଛି । ତେଣୁ ସେମାନେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ତେବେ ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କାରଣ ଆସନ୍ତାକାଲିଠୁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ସେହିପରି୨୪ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ ଓ ପୁରୀରେ ବର୍ଷା ହୋଇପାରେ । ତେବେ ୨୬ ତାରିଖ ଯାଏ ପ୍ରଭାବ ଜାରି ରହିବ ବୋଲି ଆକଳନ କରାଯାଇଛି।

 

Get real time updates directly on you device, subscribe now.