ଆଜି ଅପରାହ୍ନ ୫ଟାରେ ବସିବ ପ୍ରାଥମିକ ଶିକ୍ଷକ ସଂଘ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ ଆଲୋଚନା

ଭୁବନେଶ୍ୱର; ପ୍ରାଥମିକ ଶିକ୍ଷକଙ୍କ ୩ଦଫା ଦାବି ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ହେବ। ଅପରାହ୍ନ ୫ଟାରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିବା ପରେ ପ୍ରାଥମିକ ଶିକ୍ଷକ ଆଲୋଚନାରେ ସାମିଲ ହେବାକୁ ଯାଉଛନ୍ତି ।

ସୂଚନା ଥାଉକି, ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିକ୍ଷକ ଆନ୍ଦୋଳନ ଅଜାକୁ ଦୀର୍ଘ ୧୫ଦିନରେ ପହଞ୍ଚିଛି । ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନ୍‌ସନ ସହ କେନ୍ଦ୍ରୀୟ ହାରରେ ଦରମା ଅନୁସାରେ ୪୨୦୦ ଟଙ୍କା ଗ୍ରେଡ୍‌ ପେ’ ଲାଗୁ କରିବା ଦାବିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଆହ୍ବାନରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଥିଲେ। ପ୍ରାଥମିକ ଶିକ୍ଷକମାନେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି। ଦାବି ପୂରଣ ନ ହେବା ଯାଏ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ଦୃଢ଼ ଚେତାବନୀ ମଧ୍ୟ ଦେଇଛନ୍ତି । ଅନ୍ୟପଟେ ଆନ୍ଦୋଳନ ଯୋଗୁ ରାଜ୍ୟରେ ପ୍ରାଥମିକ ଶିକ୍ଷା ଠପ୍‌ ହୋଇଯାଇଛି। ଅଧିକାଂଶ ସ୍କୁଲରେ ଏବେ ବି ତାଲା ପଡ଼ିଛି। ପିଲାଙ୍କ ଭବିଷ୍ୟତ ପ୍ରଭାବିତ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଶନିବାର ଆଲୋଚନା ପାଇଁ ଶିକ୍ଷକ ସଂଘକୁ ଡକରା ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅପରାହ୍ନ ୫ଟାରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବା ନେଇ ସୂଚନା ମିଳିଛି।