ରାଷ୍ଟ୍ରପତି ନିର୍ବାଚନ: ବିରୋଧୀ ଏକଜୁଟ୍ ହେବେ କଣ, ଧରିଲେ ନିଜ ନିଜ ରାସ୍ତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳଗୁଡିକୁ ନେଇ ଏକ ମୋର୍ଚ୍ଚା ଗଠନ କରିବାକୁ ଉଦ୍ୟମ ଚଳାଇଥିଲେ। ହେଲେ ବିରୋଧୀ ଏକଜୁଟ୍ ହେବେ କଣ ଅଲଗା ଅଲଗା ହେବାରେ ଲାଗିଛନ୍ତି। ଦିଲ୍ଲୀରେ ବୁଧବାର ଏକ ବୈଠକ ହେବାକୁ ଯାଉଛି। ତେବେ ଟିଆରଏସ ସାମିଲ୍ ହେବାକୁ ମନା କରି ଦେଇଛି। ଆମ୍ ଆଦମୀ ପାର୍ଟି ମଧ୍ୟ ବୈଠକରେ ଯୋଗ ଦେବ ନାହିଁ। କେବଳ ଏତିକି ନୁହେଁ ଓଡିଶାର ଶାସକ ପାର୍ଟି ବିଜୁ ଜନତା ଦଳ ପୂର୍ବରୁ ନିଜକୁ ଏଥିରୁ ଦୂରେଇ ରଖିଛି। ମମତା ବାନାର୍ଜୀ ମୋଟ୍ ୨୨ ଦଳକୁ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ହେଲେ ଅଦ୍ୟାବଧି ସ୍ପଷ୍ଟ ହୋଇ ନାହିଁ ଯେ, ବୈଠକରେ କେତେ ଦଳ ଯୋଗ ଦେବେ। ସବୁଠୁ ବଡ ଝଟକା ଦେଇଛନ୍ତି ଟିଆରଏସ ନେତା କେ ଚନ୍ଦ୍ରଶେଖର ରାଓ, ଯାହାଙ୍କୁ ମମତାଙ୍କ ନିକଟତର କୁହାଯାଏ।

ମମତାଙ୍କ ସହିତ ମିଶି ସର୍ବଦା ବିଜେପି ବିରୋଧରେ ରଣ ହୁଙ୍କାର ଭରୁଥିବା କେସିଆରଙ୍କ କହିବା କଥା ତାଙ୍କ ପାର୍ଟି କଂଗ୍ରେସ ସହିତ ଗୋଟିଏ ମଞ୍ଚରେ ରହି ପାରିବ ନାହିଁ। ବୈଠକକୁ କଂଗ୍ରେସକୁ ନିୟନ୍ତ୍ରଣ ଦେବାକୁ ଆମେ ବିରୋଧ କରୁଛୁ। ତେଣୁ ଆମେ କଂଗ୍ରେସ ସହିତ ଗୋଟିଏ ମଞ୍ଚରେ ବସିବାର ପ୍ରଶ୍ନ ଉଠୁନାହିଁ। ପାର୍ଟିର କହିବା କଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟିଆରଏସ ବିରୋଧରେ ଶାଣିତ ହମଲା କରି ଆସୁଛନ୍ତି। ଏମିତି ତାଙ୍କ ସହିତ ଆମେ ରହି ପାରିବୁ ନାହିଁ।

ଆମ୍ ଆଦମୀ ପାର୍ଟି ମଧ୍ୟ ବୈଠକରେ ଯୋଗ ଦେବାକୁ ମନା କରିଛି। ଦଳୀୟ ସୂତ୍ର ଅନୁଯାୟୀ, ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ହିଁ ଦଳ ଏହା ଉପରେ ବିଚାର କରିବ। ଆଜିର ବୈଠକରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, କଂଗ୍ରେସର ମଲ୍ଲିକାର୍ଜୁନ ଖଡଗେ ଏବଂ ଜୟରାମ ରମେଶ ଯୋଗ ଦେବେ। ଏହା ବାଦ୍ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଆରଏଲଡିର ଜୟନ୍ତ ଚୌଧୁରୀ, ସିପିଆଇର ବିନୟ ବିଶ୍ଵାସ, ଡିଏମକେର ଟିଆର ବାଲୁ, ଶିବସେନାର ସୁଭାଷ ଦେଶାଇ, ନ୍ୟାସନାଲ କନଫରେନ୍ସର ଉମର ଅବଦୁଲ୍ଲା ଏବଂ ପିଡିପି ନେତା ମେହବୁବା ମୁଫତି ମଧ୍ୟ ବୈଠକରେ ଯୋଗ ଦେଇ ପାରନ୍ତି।