ଭୁବନେଶ୍ୱର : ଶବ ପାଇଁ କଣ୍ଟେନର । ଗତକାଲି ଠାରୁ ଏହି ଖବର ଚର୍ଚ୍ଚାରେ ରହିଛି । କାରଣ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହଗୁଡିକୁ ସାଇତି ରଖିବା ପାଇଁ କଣ୍ଟେନର ବ୍ୟବସ୍ଥା କରାଯାଇଛି । ମୃତଦେହ ଗୁଡିକୁ ସାଇତି ରଖିବା ପାଇଁ ବିଭିନ୍ନ ମେଡିକାଲରେ ବିଶେଷୂ କରି ଏମ୍ସରେ ସ୍ଥାନର ଅଭାବ ଥିବାରୁ ପାରାଦୀପରୁ ୫ଟି କଣ୍ଟେନର ଅଣାଯାଇଛି । ପ୍ରତି କଣ୍ଟେନରରେ ୩୦ରୁ ୪୦ ମୃତଦେହ ରଖାଯାଇପାରିବ । ସେହିପରି ଦୁଇ ମାସ ପର୍ଯ୍ୟନ୍ତ ଏଥିରେ ମୃତଦେହକୁ ସଂରକ୍ଷିତ ରଖାଯାଇପାରିବ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କେତେ ଦିନ ପର୍ୟ୍ୟନ୍ତ ଶବ ସାଇତି ରଖିବେ ସରକାର? ଶବ ଚିହ୍ନଟ ପାଇଁ ସରଳ ମାର୍ଗ ଅବଲମ୍ବନ କରି ସେଗୁଡ଼ିକୁ ସେମାନଙ୍କ ଘରେ/ ଗାଁରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉନାହିଁ କାହିଁକି ? ଏଥିପାଇଁ ‘ଆଧାର’ ବାୟୋମେଟ୍ରିକ୍ ତଥ୍ୟକୁ ବ୍ୟବହାର କରାଯାଉନାହିଁ କାହିଁକି? ଯଦି ୧୦ ଲକ୍ଷ ଟଙ୍କା ଲୋଭରେ କିଛି ଶବ ହଡ଼ପ ହୋଇଯିବ, ତେବେ ପ୍ରକୃତ ଆତ୍ମୀୟ ପହଞ୍ଚିଲା ବେଳକୁ ସେମାନଙ୍କୁ ପୁଣି ଶବ କିଏ ଆଣି ଦେବ? ଏପରି ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି ।
କାରଣ ଗତକାଲି ମଧ୍ୟ ଏକ ଖବର ସାମ୍ନାକୁ ଆସିଥିଲା । ଟଙ୍କା ଲୋଭରେ ମିଛ ସ୍ତ୍ରୀ ହେବାର ଜଣେ ମହିଳା ଅଭିନୟ କାରିଥିଲେ । ଟ୍ରେନ୍ ଦୁର୍ଘଟଣାର ଶବ ମଧ୍ୟରୁ ଜଣଙ୍କୁ ନିଜ ସ୍ୱାମୀର ପରିଚୟ ଦେଇ ଟଙ୍କା ହଡପ କରିବାକୁ ଚେଷ୍ଟା କରିଥିଲେ । ତେବେ ଏଭଳି ଘଟଣା ଆଗକୁ ନ ଘଟିବ ଏହାକୁ ନେଇ କୌଣସି ସମ୍ଭାବନା ନାହିଁ ବୋଲି କହିପାରିବା ନାହିଁ । ତେଣୁ ଆଗକୁ ଏଭଳି ଅନେକ ଘଟଣା ଘଟିବାର ଆଶଙ୍କା କରାଯାଉଛି ।
ସେହିପରି କେଉଁମାନେ ୨ ଲକ୍ଷ ଟଙ୍କିଆ ଆହତ ଏବଂ କେଉଁମାନେ ୫୦ ହଜାର ଟଙ୍କିଆ ଆହତ ସେମାନଙ୍କ ନାମ ତାଲିକା ପ୍ରକାଶ କରାଯାଉନାହିଁ କାହିଁକି ? ଯେଉଁ ଗୁରୁତର ଆହତମାନେ ଅକ୍ଷମ ହୋଇଯିବେ ବା କିଛି ସପ୍ତାହ ପରେ ମରିଯିବେ, ସେମାନଙ୍କ ଅବଶିଷ୍ଟ ଜୀବନର ମୂଲ୍ୟ କିଏ ଦେବେ – କ’ଣ ବ୍ୟବସ୍ଥା ଅଛି? କ’ଣ ଆଇନ ଅଛି? ଏନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟତା ପ୍ରକାଶ ପାଇନାହିଁ ।
କରମଣ୍ଡଳ ପାଇଲଟ୍ ଗୁଣନିଧି ମହାନ୍ତି ସାଂଘାତିକ ବୟାନ ଦେଇ କହିଛନ୍ତି ଯେ ତାଙ୍କ ଗାଡ଼ି ପାଇଁ ଲୁପ୍ ଲାଇନ୍ରେ ସବୁଜ ସଂକେତ ଥିଲା। ଅର୍ଥାତ୍ ତାଙ୍କ ଗାଡିକୁ ଆଗକୁ ଯିବା ପାଇଁ ଅନୁମତି ଥିଲା । କାରଣ ସିଧା ଲାଇନ୍ରେ ହିଁ ସ୍ୱାଭାବିକ ବେଗରେ ଯାଇପାରିବା ପାଇଁ ସବୁଜ ସଂକେତ ଦିଆଯାଏ। ନଚେତ୍ ଲୁପ୍ ଲାଇନରେ ହଳଦିଆ ସଂକେତ ଦିଆଯାଏ। ଏପରିକି ମୁଖ୍ୟ ଲାଇନ୍ରେ ମଧ୍ୟ ମନ୍ଥର ବେଗରେ ଯିବାର ଆବଶ୍ୟକତା ଥିଲେ ହଳଦିଆ ସଂକେତ ଦିଆଯାଏ। ସବୁଜ ସଂକେତ କଦାପି ଦିଆଯାଏ ନାହିଁ। ତେବେ ଏସବୁକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି । ଏଥିରୁ ଦେଶଦ୍ରୋହୀ କାର୍ୟ୍ୟକଳାପର ଗନ୍ଧ ମଧ୍ୟ ବାରି ହୋଇପଡୁଛି ।