fbpx

G-20 ସମ୍ମିଳନୀରେ ଅତିଥିଙ୍କୁ ଏହି ଉପହାର ଦେଲେ ପ୍ରଧାନମନ୍ତ୍ରୀ: କ’ଣ ଅଛି ଏହି ବକ୍ସ ଭିତରେ?

ନୂଆଦିଲ୍ଲୀ: ରବିବାର ଶେଷ ହୋଇଛି ଭାରରେ ଆୟୋଜିତ ହୋଇଥିବା ଐତିହାସିକ ଜି-୨୦ ସମ୍ମିଳନୀ । ସଫଳତା ର ସହ ସମ୍ମଳିନୀ ଶେଷ କରିବା ସହ ଏଥିରେ ଅନେକ ବଡ଼ ବଡ଼ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ନୂଆଦିଲ୍ଲୀ ଘୋଷଣାପତ୍ରକୁ ମଞ୍ଜୁରୀ ଏବଂ ଭାରତ-ୟୁରୋପ କନେକ୍ଟଭିଟିକୁ ମଞ୍ଜୁରୀ ମିଳିବା ସହ ଏହି ବୈଠକରେ ଆଫ୍ରିକା ୟୁନିଅନକୁ ସଦସ୍ୟତା ମଧ୍ୟ ପ୍ରଦାନ କରାଯାଇଛି । ତେବେ ଜି-୨୦ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଅତିଥିମାନଙ୍କୁ ଉପହାର ଭରା ବକ୍ସ ପ୍ରଦାନ କରିଥିଲେ । ଏହି ବକ୍ସରେ କ’ଣ ଥିଲା ଏବଂ ମୋଦୀ ଅତିଥିମାନଙ୍କୁ କି ଉପହାର ଦେଇଛନ୍ତି ବର୍ତ୍ତମାନ ଏହାର ଖୁଲାସା ହୋଇଛି ।

ଜି-୨୦ ସମ୍ମିଳନୀ ପାଇଁ ସମସ୍ତ ରାଷ୍ଟ୍ରମୁଖ୍ୟମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇଛି ଭାରତ । ପରମ୍ପରା ଏବଂ ସଂସ୍କୃତିର ଆସରରେ ଅତିଥିମାନଙ୍କୁ ଦେଶକୁ ପାଛୋଟି ଅଣାଯାଇଥିଲା । ଦେଶରେ ଅତିଥିଚର୍ଚ୍ଚା ସହ ଏବେ ଜଣକ ପରେ ଜଣେ ଅତିଥିଙ୍କୁ ସହୃଦୟେ ବିଦାୟ ମଧ୍ୟ ଦେଇଛି ଭାରତ । ତେବେ ଜି-୨୦ରୁ ବିଦାୟ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଅତିଥିମାନଙ୍କୁ ଉପହାର ଭରା ଗୋଟିଏ ଲେଖାଏଁ ବକ୍ସ ପ୍ରଦାନ କରିଥିଲେ । ଏହି ବକ୍ସରେ ଭାରତର ଅନ୍ୟୁନ ପରିଚୟ ତଥା କିଛି ପ୍ରସିଦ୍ଧ ଜିନିଷ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭାରତର କିଛି ଉତ୍ପାଦ ଦୀର୍ଘ ବର୍ଷରୁ ପରମ୍ପରା ହୋଇ ରହି ଆସିଛି । ଏହାସହିତ କିଛି ରାଷ୍ଟ୍ରମୁଖ୍ୟଙ୍କୁ ପିତ୍ତଳ ଚାଦର ଥିବା ଶିଶମଉଡ୍ ସିନ୍ଦୁକ ସହିତ ମୋଦୀ ବିଶେଷ ଉପହାର ଦେଇଛନ୍ତି । ଭାରତୀୟ ରୋଜ୍ ଉଡ୍ ରେ ପ୍ରସ୍ତୁତ ହୋଇଥିବା ଏହି ସିନ୍ଦୁକ ନିଜର ଶକ୍ତି, ସ୍ଥାୟୀତ୍ୱ ଏବଂ ଭିନ୍ନ ଢାଞ୍ଚାରେ ଏହାର ପ୍ରସ୍ତୁତି ସମସ୍ତଙ୍କୁ ଆକର୍ଷିତ କରିଥାଏ ।

ସେହିପରି ଜି-୨୦ରେ ଅଂଶଗ୍ରହଣ କରିଥିବା ସଦସ୍ୟଙ୍କୁ କାଶ୍ମୀରର ପ୍ରସିଦ୍ଧ ତଥା ଦାମୀ କେସର ଏବଂ ସ୍ୱତନ୍ତ୍ର ଗିଫ୍ଟ ହାମ୍ପର ଉପହାର ଦେଇଛନ୍ତି । ସମସ୍ତ ସଂସ୍କୃତି ଏବଂ ସଭ୍ୟତାରେ କେସରକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଏ । ଅନ୍ୟ କିଛି ସଦସ୍ୟଙ୍କୁ ମୋଦୀ ଦାର୍ଜିଲିଙ୍ଗ ଏବଂ ନୀଳଗିରିର ଚାହା ମଧ୍ୟ ଗିଫ୍ଟ କରିଛନ୍ତି । ପେକୋ ଦାର୍ଜିଲିଙ୍ଗ ଏବଂ ନୀଳଗିରିରେ ଏହି ଚାହା ଖୁବ ପ୍ରଚଳିତ ହୋଇଥାଏ । ତେଣୁ ମୋଦୀଙ୍କ ଉପହାରରେ ଭାରତର ଏହି ଦ୍ରବ୍ୟକୁ ସ୍ଥାନ ଦିଆଯାଇଛି । ଆନ୍ଧ୍ରପଦେଶର ପ୍ରସିଦ୍ଧ ଅରାକୁ କଫି ମଧ୍ୟ ମୋଦୀଙ୍କ ଏହି ଉପହାର ତାଲିକାରେ ସ୍ଥାନ ପାଇଛି । ଆନ୍ଧ୍ରପ୍ରଦେଶର ଅରାକୁ ଘାଟିରେ କଫି ବିନ୍ ଚାଷ କରାଯାଇଥାଏ । ସାରା ବିଶ୍ୱରେ ଏହି କଫିକୁ ଲୋକେ ଖୁବ ପସନ୍ଦ କରିଥାନ୍ତି ।

ଅନ୍ୟତମ ଉପହାର ଭାବରେ ସୁନ୍ଦରବନ ମଲ୍ଟିଫ୍ଲୋରା ମ୍ୟାନଗ୍ରୋଭ ମହୁ ମଧ୍ୟ ଉପହାର ଭାବରେ ଜି-୨୦ ସଦସ୍ୟଙ୍କୁ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ପଶ୍ଚିମବଙ୍ଗର ଖାଡ଼ି ଅଞ୍ଚଳରେ ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀର ସଙ୍ଗମ ସ୍ଥଳୀରେ ଥିବା ଡେଲଟାରେ ଅବସ୍ଥିତ ଏହି ସୁନ୍ଦରବନ । ଜି-୨୦ ସମ୍ମିଳନୀରେ ଏଭଳି କିଛି ଦେଶୀ ଏବଂ ଭାରତର ଦ୍ରବ୍ୟକୁ ଉପହାର ଆକାରରେ ବିଭିନ୍ନ ଦେଶରେ ପହଞ୍ଚାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.