fbpx

ଅଲିମ୍ପିକ୍ସ ଏଥର ନୂତନ ପ୍ରଭାବ ଉତ୍ପନ କରିଛି, ପ୍ରତି ପରିବାରରେ ଖେଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି, ନୂତନ ନାରା- ‘ସବ ଖେଲେଁ, ସବ ଖିଲେଁ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ମାସିକିଆ କାର୍ଯ୍ୟକ୍ରମ ମନ କି ବାତ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କ୍ରୀଡା ଓ ବିଶେଷ କରି ହକିର ଉଲ୍ଲେଖ କରି ମେଜର ଧ୍ୟାନଚାନ୍ଦଙ୍କୁ ମନେ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ ନାରା ମଧ୍ୟ ଦେଇଛନ୍ତି । ତାହା ହେଉଛି ସବ ଖେଲେଁ, ସବ ଖିଲେଁ । ମୋଦୀ କହିଛନ୍ତି, ଅଲିମ୍ପିକ୍ସ ଏଥର ଦେଶରେ ପ୍ରଭାବ ସୃଷ୍ଟି କରିଛି ଏବଂ ପ୍ରତି ପରିବାରରେ ଖେଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ । ମୁଁ ଚିନ୍ତା କରୁଥିଲି ଯେ, ଧ୍ୟାନଚାନ୍ଦ ଜୀଙ୍କ ଆତ୍ମା ଯେଉଁଠି ଥିବ ଆଜି ବହୁତ ପ୍ରସନ୍ନ ଥିବ । ଦୁନିଆରେ ଭାରତୀୟ ହକିର ଚମକ ଧ୍ୟାନଚାନ୍ଦ ହିଁ ବିଛୁରିତ କରିଥିଲେ । ୪ ଦଶନ୍ଧି ପରେ ଯାଇ ଭାରତର ପୁଅ ଓ ଝିଅ ହକିକୁ ପୁନର୍ଜିବିତ କରିଛନ୍ତି । ଯେତେ ବି ପଦକ ମିଳୁ, ହକିରେ ପଦକ ମିଳିବା ପରେ ହିଁ ଭାରତ ଆନନ୍ଦ ନେଇଥାଏ । ଏଥର ଆମକୁ ଟୋକିଓ ଅଲିମ୍ପିକ୍ସରେ ପଦକ ମିଳିଛି । ଧ୍ୟାନଚାନ୍ଦ ଜୀଙ୍କ ଜୀବନ ଖେଳ ପ୍ରତି ସମର୍ପିତ ଥିଲା । ଆଜି ତାଙ୍କର ଆତ୍ମା ପ୍ରସନ୍ନ ଥିବ ।

ମୋଦୀ କହିଛନ୍ତି, ଆଜିର ଯୁବ ପିଢି କିଛି ଭିନ୍ନ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ଚିରାଚରିତ ରାସ୍ତାରେ ଚାଲିବାକୁ ଚାହୁଁ ନାହାନ୍ତି । ନୂତନ ମାର୍ଗ ଖୋଜୁଛନ୍ତି ଏବଂ ସେଥିରେ ଚାଲିବାକୁ ଚାହୁଁଛନ୍ତି । ସେମାନଙ୍କର ଲକ୍ଷ୍ୟ, ମାର୍ଗ ଓ ଆଶାରେ ନୂତନତ୍ୱ ଭରି ରହିଛି । କିଛି ସମୟ ପୂର୍ବେ ଭାରତ ନିଜର ସ୍ପେସ ସେକ୍ଟରକୁ ଖୋଲିବା ମାତ୍ରେ ଯୁବ ପିଢି ଏହି ସୁଯୋଗକୁ ହାତଛଡା କରି ନାହାନ୍ତି । ଯୁବ ପିଢି ଆଗକୁ ଆସିଛନ୍ତି । ଏହା ଦେଖି ମୋତେ ଭରସା ଯେ, ଆଗାମୀ ଦିନରେ ବହୁତ ବଡ ସଂଖ୍ୟାରେ ଏମିତି ସାଟେଲାଇଟ୍ ହେବ, ଯେଉଁଥିରେ କଲେଜ ଓ ବିଶ୍ୱ ବିଦ୍ୟାଳୟର ଲ୍ୟାବରେ ଯୁବ ପିଢି କାମ କରିଥିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥର ଅଲିମ୍ପିକ୍ସ ଦେଶରେ ନୂତନ ପ୍ରଭାବ ପକାଇଛି । ବର୍ତ୍ତମାନ ପାରା ଅଲିମ୍ପିକ୍ସ ଚାଲିଛି । ଯାହା ସବୁ ଘଟିଲା ତାହା ସଭିଙ୍କ ମନରେ ବିଶ୍ୱାସ ଉତ୍ପନ ପାଇଁ ପର୍ଯ୍ୟାପ୍ତ । ଯୁବ ଇକୋସିଷ୍ଟମକୁ ଦେଖୁଛି, ବୁଝୁଛି, ପରମ୍ପରାଗତ ରାସ୍ତାରୁ ବାହାରୁଛି । ପ୍ରତି ପରିବାରରେ ଖେଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏହି ଭାବନା ଏବଂ ନୂତନ ଇଚ୍ଛାକୁ ଅଟକାଇବାକୁ ଦେବା ନାହିଁ ବୋଲି ମୋଦୀ କହିଛନ୍ତି । ଗାଁ, ସହରରେ ଖେଳ ପଡିଆ ଭରି ରହିବା ଉଚିତ୍ । ସମସ୍ତଙ୍କ ପ୍ରଚେଷ୍ଟାରେ ଭାରତ କ୍ରୀଡାରେ ନୂତନ ଉକ୍ରର୍ଷତା ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ନିଜର ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି ।

 

Get real time updates directly on you device, subscribe now.