fbpx

(Video) ଜିକମିକ ଆଲୁଅରେ ଝଲସି ଉଠୁଛି ରାମ ମନ୍ଦିର: ଫୁଲର ଦୋଳିରେ ଖେଳୁଛି ଅଯୋଧ୍ୟା

ଅଯୋଧ୍ୟା: ଅଯୋଧ୍ୟା ନଗରୀର ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ୨୨ ତାରିଖରେ ଗର୍ଭଗୃହରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ବିଗ୍ରହକୁ ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ମହା ଉତ୍ସବ ପାଇଁ ସମଗ୍ର ଅଯୋଧ୍ୟା ନଗରୀ ସଜେଇ ହୋଇ ବସିଛି । ଫୁଲର ଦୋଳିରେ ଝୁଲି ଝୁଲି ହୋଇ ହସୁଛି ଅଯୋଧ୍ୟା ନଗରୀ । ଅନ୍ଧାର ରାତିରେ ଦୀପ ଏବଂ ଜିକମିକ ଆଲୁଅରେ ପ୍ରଭୁଙ୍କ ମନ୍ଦିର ଝଲସି ଉଠିଛି । ସମସ୍ତଙ୍କ ମନରେ ଜଳି ଉଠିଛି ଭକ୍ତି ଏବଂ ରାମ ରସର ଅଲିଭା ଦୀପ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ପ୍ରଭୁ ଶ୍ରୀରାମଙ୍କ ଆଗମନରେ ଝଲସି ଉଠିଛି ଜନ୍ମପୀଠ ଅଯୋଧ୍ୟା । ହସଖୁସି ଏବଂ ଆନନ୍ଦ ଉଲ୍ଲାସ ସହିତ ଅଲିଭା ଆଲୋକର ସମ୍ଭାରରେ ଆଲୋକିତ ହୋଇଉଠିଛି ଶ୍ରୀରାମ ମନ୍ଦିର । ଏହା ବ୍ୟତୀତ ଫୁଲରେ ସଜା ହୋଇଥିବା ଏହି ମନ୍ଦିରକୁ ଭବ୍ୟ ଏବଂ ଦିବ୍ୟ ମନ୍ଦିରର ରୂପ ଦେଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଭିଡିଓରେ ରାମ ମନ୍ଦିରର ସାଜସଜ୍ଜା ଦେଖାଯାଇଛି । ଏହି ଭିଡିଓରେ ଦେଖାଯାଇଛି ଯେ, ମନ୍ଦିରର କାନ୍ଥ ଏବଂ ପିଲାରଗୁଡ଼ିକୁ ଫୁଲ ଏବଂ ବିଭିନ୍ନ ଜିକମିକ ଆଲୋକରେ ସୁନ୍ଦର ରୂପ ଦିଆଯାଉଛି । ଏହାବ୍ୟତୀତ ମନ୍ଦିରର ଉପରିଭାଗକୁ ମଧ୍ୟ ଖୁବ ସୁନ୍ଦର ଭାବରେ ସଜେଇ ଦିଆଯାଇଛି । ଏଥିପାଇଁ ଅନେକ କର୍ମଚାରୀ ନିୟୋଜିତ ହୋଇ ରହିଛନ୍ତି ।

କେବଳ ବାହାରେ ନୁହେଁ, ରାମ ମନ୍ଦିରର ଭିତର ପରିବେଶକୁ ମଧ୍ୟ ଫୁଲରେ ଖୁବ ସୁନ୍ଦର ଭାବରେ ସାଜସଜ୍ଜା କରାଯାଉଛି । ବିଶେଷ କରି ହଳଦିଆ, ଧଳା, ଲାଲ ଏବଂ ବାଇଗଣୀ ରଙ୍ଗର ଫୁଲଗୁଡ଼ିକୁ ପ୍ରମୁଖ ରଙ୍ଗ ଭାବରେ ସାଜସଜ୍ଜା ପାଇଁ ବ୍ୟବହାର କରାଯାଉଛି । ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ଶାସ୍ତ୍ରୀୟ ପରମ୍ପରା ଅନୁସାରେ, ନାଗର ଶୈଳୀରେ ପ୍ରସ୍ତୁତ କରାଯାଇଛି । ଏହାର ଲମ୍ବ ପୂର୍ବରୁ ପଶ୍ଚିମକୁ ୩୮୦ ପୁଯ ରହିଥିବା ବେଳେ ଚଉଡ଼ା ୨୫୦ ଫୁଯ ରହିଛି । ସେହିପରି ମନ୍ଦିରର ଉଚ୍ଚତା ୧୬୧ ଫୁଟ ରଖାଯାଇଛି । ବାସ୍ତୁକଳାର ନାଗର ଶୈଳୀର ଉତ୍ପତ୍ତି ଉତ୍ତର ଭାରତରେ ରହିଛି । ମନ୍ଦିରର ଶୀର୍ଷରେ ଏକ କଳସ ସ୍ଥାପନା କରାଯାଇଥିବା ବେଳେ କାନ୍ଥଗୁଡ଼ିକରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତିୀ ଖୋଦନ କରାଯାଇଛି ।

Get real time updates directly on you device, subscribe now.