Solar Water Project ହରାଇଛି ଅସ୍ଥିତ୍ୱ: ଏବେ ବି ପିଇବା ପାଣି ପାଇଁ ଭରସା ଚୂଆର ଦୂଷିତ ପାଣି

ଢେଙ୍କାନାଳ: ସାଧାରଣ ଜନତାଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତିି ରାଜ୍ୟ ସରକାର । କିନ୍ତୁ ଏବେ ବି ଅଧିକାଂଶ ସ୍ଥାନରେ ପହଞ୍ଚିପାରିନି ସୁବିଧା । ଏବେ ବି ନାହିଁ ନଥିବା ଅସୁବିଧାର ସାମନା କରୁଛନ୍ତି ଅନେକ ଅଞ୍ଚଳର ଲୋକେ । ଯାହାର ଏକ ବିରାଟ ଉଦାହରଣ ହୋଇପାରେ ଡେଙ୍କାନାଳ ଭୁବନ ବ୍ଲକର ସାରିଆଦୋଳି ଗ୍ରାମ । ଏଠାରେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । କେବଳ ପିଇବା ପାଣି ନୁହେଁ, ଏହାସହିତ ଶିକ୍ଷା,ସ୍ୱାସ୍ଥ୍ୟ ପରି ସମସ୍ତ ମୌଳିକ ସୁବିଧାରୁ ଏମାନେ ବଞ୍ଚିତ ହୋଇଛନ୍ତି । ଯାହା ଫଳରେ ବାଧ୍ୟ ହୋଇ ଏବେ ଗାଁ ଛାଡିଲେଣି ଏଠାକାର ଗ୍ରାମବାସୀ ।

ଏଠାକାର ପରିସ୍ଥିତି ଏତେ ଖରାପ ଯେ, ଏଠାରେ ଟ୍ୟାପ ମୋଡିଲେ ନୁହେଁ, ବରଂ ଶାବଳରେ ମାଟି ଖୋଳିଲେ ମୁନ୍ଦାଏ ପିଇବା ପାଣି ମିଳେ । ସୁଦୂର ଜଙ୍ଗଲକୁ ଚାଲି ଚାଲି ଯାଇ ଘରକୁ ଗରାଏ ପାଣି ଆଣନ୍ତି ଏଠାକାର ଗ୍ରାମବାସୀ । କାରଣ ଏହି ଲୋକମାନଙ୍କ ଭାଗ୍ୟରେ ବସୁଧା ଯୋଜନା ନାହିଁ । ତେବେ ଭଗବାନଙ୍କ ଦୟାରୁ ମିଳିଥିବା ଚୁଆ ପାଇଁ ଏମାନଙ୍କ ଶୋଷ ମେଣ୍ଟାଇବାର ଏକମାତ୍ର ଭରସା । ରାଜ୍ୟ ପ୍ରଗତି କ୍ଷେତ୍ରରେ ଏକ ନମ୍ବରରେ ପହଞ୍ଚୁଥିବା ବେଳେ ଏଠାକାର ଦୃଶ୍ୟ ଏବେ ବିକାଶର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ଏଠାରେ ନା ଅଛି ଗମନାଗମନର ସୁବିଧା ନା ଅଛି ପାନୀୟଜଳର ସୁବିଧା ।

ତେବେ ସରକାରଙ୍କ ଯୋଜନା ଅନୁସାରେ ଗୋଟିଏ ସୋଲାର ଜଳ ଯୋଜନା ଅଛି । କିନ୍ତୁ ସେ ବି ମୃତାବସ୍ଥାରେ । ଦୁଇ ବର୍ଷ ହେବ ବନ୍ଦ ପଡି ରହିଛିଛି ଏହି ସୋଲାର ପାନୀୟଜଳ ପ୍ରକଳ୍ପ । ଗ୍ରାମରେ ଏକମାତ୍ର ନଳକୂପ ପାଣିରୁ ଜିଆ ପୋକ ବାହାରୁଛି । ଏବେ ଗ୍ରାମବାସୀ ଚୂଆର ଦୁଷିତ ପାଣି ଉପରେ ଭରଷା କରି ବଞ୍ଚି ରହିଛନ୍ତି । ତେବେ ଗ୍ରାମବାସୀ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଯେତେ ଅଭିଯୋଗ କଲେବି କେବଳ ମିଳୁଛି ମିଥ୍ୟା ପ୍ରତିଶୃତି । ସେପଟେ ଖୁବଶୀଘ୍ର ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଭୁବନ ବିଡିଓ ।