ଚଣ୍ଡୀଗଡ: ହରିୟାଣା ସରକାର ଅବିବାହିତଙ୍କ ଲାଗି ପେନସନ ଯୋଜନା ଆରମ୍ଭ କରି ଦେଇଛନ୍ତି । ରାଜ୍ୟ ସରକାର ଏହି ଯୋଜନା ଲାଗି ଅଧିସୂଚନା ଜାରି କରିଛନ୍ତି । ୧ ଜୁଲାଇ ୨୦୨୩ରୁ ଏହି ଯୋଜନା ଲାଗୁ ହୋଇଯାଇଛି । କିନ୍ତୁ ଏହି ପେନସନ ଲାଗି ସରକାର କିଛି ସର୍ତ୍ତ ରଖିଛନ୍ତି । ଯିଏ ଏହି ସମସ୍ତ ସର୍ତ୍ତ ପୂରଣ କରିବ ସେ ହିଁ ପେନସନ ପାଇବାକୁ ହକଦାର ହେବ ।
ସରକାରଙ୍କ ଏହି ପେନସନ୍ ନେବା ପୂର୍ବରୁ ଅବିବାହିତଙ୍କୁ କିନ୍ତୁ ୧୦୦ ଥର ଚିନ୍ତା କରିବାକୁ ପଡିବ । କାରଣ ସରକାର ଯେଉଁ ସର୍ତ୍ତ ରଖିଛନ୍ତି ତାହାକୁ ପୂରଣ କରିବା ଏକ ବଡ ଆହ୍ୱାନ । ଏହାପରେ ଯାଞ୍ଚରେ କେହି ଯଦି ଅଯୋଗ୍ୟ ବୋଲି ଜଣାପଡିବ ତେବେ ତାଙ୍କୁ ଏହି ପେନସନର ଲାଭ ଉଠାଇବା ବେଶ୍ ମହଙ୍ଗା ପଡିଯିବ । କାରଣ ସରକାର ସୁଧ ସହିତ ମୂଳରାଶି ଆଦାୟ କରିବ । ଏବେ ହରିୟାଣା ସରକାରଙ୍କ ନିୟମ ଓ ସର୍ତ୍ତକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
କୁହାଯାଉଛି ସରକାରଙ୍କ ପକ୍ଷରୁ ଅବିବାହିତଙ୍କୁ ଗୋଟିଏ ହାତରେ ଲଡୁ ଧରାଇ ଦିଆଯାଉଥିବା ବେଳେ ଅନ୍ୟପଟେ ସେମାନଙ୍କ ବେକରେ ନିୟମ ଓ ସର୍ତ୍ତର ଖଣ୍ଡା ଝୁଲାଇ ଦିଆଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ୧ ଜୁଲାଇରେ ମନୋହର ଲାଲ ଖଟ୍ଟର ସରକାର ଅବିବାହିତ ଲୋକଙ୍କୁ ମାସକୁ ୨୭୫୦ ଟଙ୍କା ପେନସନ ଦେବା ଲାଗି ଘୋଷଣା କରିଥିଲେ । ଏହି ସମ୍ବନ୍ଧରେ ଏବେ ଅଧିସୂଚନା ଜାରି କରାଯାଇଛି । ଏଥିରେ ନିୟମ ଓ ସର୍ତ୍ତ ବିଷୟରେ ଫାଇନାଲ କରାଯାଇଛି ।
-ଯଦି କାହାର ବିବାହ ହୋଇନାହିଁ କିନ୍ତୁ ସେ ଲିଭ ଇନରେ ରହୁଛି ତେବେ ସେ ଏହି ପେନସନ ପାଇବ ନାହିଁ ।
-ଛାଡପତ୍ର ପାଇଥିବା ବ୍ୟକ୍ତି ମଧ୍ୟ ପେନସନ ପାଇବ ନାହିଁ ।
-ଯେଉଁ ବ୍ୟକ୍ତି ସରକାରଙ୍କ ଠାରୁ ଅନ୍ୟ କିଛି ଭତ୍ତା ପାଉଥିବ ସେ ମଧ୍ୟ ଏହି ପେନସନ ପାଇପାରିବ ନାହିଁ ।
-ଯଦି କେହି ଅବିବାହିତ ଥିବାରୁ ପେନସନ ପାଉଛି କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ବିବାହ ହୋଇଯାଇଛି ତେବେ ତୁରନ୍ତ ସରକାରଙ୍କୁ ଏ ବିଷୟରେ ସୂଚନା ଦେବା ଉଚିତ । ଅନ୍ୟଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
-ଯେଉଁ ଲାଭାର୍ଥୀ ସାମାଜିକ ନ୍ୟାୟ ଏବଂ ଅଧିକାରୀତା ନିର୍ଦ୍ଦେଶାଳୟକୁ ସୂଚନା ନ ଦେଇ ବିବାହ କରିବ ତାଙ୍କୁ ଦଣ୍ଡିତ କରାଯିବ । ଏପରି ବ୍ୟକ୍ତିଙ୍କ ଠାରୁ ପେନସନର ପୁରା ରାଶି ଆଦାୟ କରାଯିବା ସହିତ ୧୨ ପ୍ରତିଶତ ହାରରେ ସୁଧ ବି ଆଦାୟ କରାଯିବ ।
-ଲାଭାର୍ଥୀଙ୍କ ବୟସ ୪୫ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଉଚିତ ।
-ଲାଭାର୍ଥୀଙ୍କ ବାର୍ଷିକ ଆୟ ୧.୮୦ ଲକ୍ଷରୁ କମ୍ ହୋଇଥିବା ଉଚିତ ।
-ଲାଭାର୍ଥୀ ନିଜ ପରିବାରର ପରିଚୟପତ୍ର ପ୍ରତି ମାସର ୧୦ ତାରିଖ ପୂର୍ବରୁ ଜମା କରିବାକୁ ହେବ ।
– ଲାଭାର୍ଥୀଙ୍କ ବୟସ ୬୦ ବର୍ଷ ହୋଇଯିବା ପରେ ପେନସନ ସ୍ୱତଃ ବୃଦ୍ଧାବସ୍ଥା ଯୋଜନାରେ ପରିବର୍ତ୍ତିତ ହୋଇଯିବ ।
ହରିୟାଣାରେ ୭୦ ହଜାରରୁ ଅଧିକ ଲୋକ ଏହି ଅବିବାହିତ ପେନସନ ଯୋଜନା ପାଇବାକୁ ହକଦାର । ଏହି ଯୋଜନା ବିଧବାମାନଙ୍କ ଲାଗି ଉପଲବ୍ଧ ନୁହେଁ ।