fbpx

ବିଧାନସଭାରେ ଆଗତ ହୋଇଥିବା ୩ ବିଲ୍‍କୁ ପ୍ରତ୍ୟାହାର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବିଧାନସଭାରେ ଆଗତ ହୋଇଥିବା ତିନିଟି ବିଲ୍‍କୁ ଆଜି ସରକାର ପ୍ରତ୍ୟାହାର କରିନେଇଛନ୍ତି। ଶୂନ୍ୟକାଳରେ ବିରୋଧିଙ୍କ ହଟଗୋଳ ମଧ୍ୟରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ବିଲ୍‍ ୨୦୨୩, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ପକ୍ଷରୁ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଓଡିଶା ଆପାର୍ଟମେଣ୍ଟ ବିଲ୍‍ ୨୦୨୩ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ଜମି ଅଧିଗ୍ରହଣ, ଥଇଥାନ ଏବଂ ପୁର୍ନବାସ ଏବଂ କ୍ଷତିପୂରଣ ପ୍ରଦାନ ସଂଶୋଧନ ବିଲ୍‍ ୨୦୨୩କୁ ଆଜି ପ୍ରତ୍ୟାହାର କରି ନେଇଛନ୍ତି।

ତେବେ ଆଜି ବିଧାନସଭା ଆରମ୍ଭରୁ ସରଗରମ ରହିଥିଲା। ଜାଲ୍‍ ସାର୍ଟିଫିକେଟ୍‍ ଓ କୋଟିଆ ପ୍ରସଙ୍ଗକୁ ନେଇ ଆଜି ଉଭୟ ବିରୋଧୀ ଓ ଶାସକଦଳ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଅପରାହ୍ଣ ୪ଟା ଯାଏଁ ମୁଲତବୀ ରହିଛ। ଶୂନକାଳରେ ବିରୋଧିଦଳ ନେତା ଜୟନାରାୟଣ ମିଶ୍ର କୋଟିଆ ପ୍ରସଙ୍ଗ ଉଠାଇ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ କିଭଳି ଓଡିଶା ସୀମାରେ ପ୍ରବେଶ କରୁଛନ୍ତି ତାହା ଉଲ୍ଲେଖ କରିବା ସହିତ ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ ସୀମାକୁ ଲାଗିଥିବା ଗ୍ରାମର ଲୋକମାନେ ଓଡିଶାରେ ରହିବାକୁ ଚାହୁଁନାହାଁନ୍ତି ବୋଲି କହିଥିଲେ।

ଓଡିଶା ସରକାର ଏହା ଉପରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଜଣାଇବାକୁ ଶ୍ରୀ ମିଶ୍ର ଦାବି କରିଥିଲେ। ସେହିଭଳି କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି, କୋଇଡା ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ବଲାଙ୍ଗିରରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇ ଏହା ଉପରେ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। କଂଗ୍ରେସ ସଦସ୍ୟମାନେ ରୁଲିଂ ଦାବି କରି ଗୃହରେ ହଟ୍ଟଗୋଳ କରିଥିବାବେଳେ ବିଜେପି ସଦସ୍ୟମାନେ ସେମାନଙ୍କ ସହିତ ସାମିଲ ହୋଇଥିଲେ।

Get real time updates directly on you device, subscribe now.