fbpx

ଦିଗ ପରିବର୍ତ୍ତନ କଲା ବାତ୍ୟା ‘ବିପର୍ଯ୍ୟୟ’ ; ପାକିସ୍ତାନ ନୁହେଁ ଭାରତରେ କରିବ ଲ୍ୟାଣ୍ଡଫଲ

ନୂଆଦିଲ୍ଲୀ : ଆରବସାରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଏବେ ଦିଗ ବଦଳାଇଛି । ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିଛି । ସିଧା ପାକିସ୍ତାନରେ ମାଡ ହେବା ପରିବର୍ତ୍ତେ ଭାରତ ଆଡକୁ ମୁହାଁଇଛି । ଗୁଜୁରାଟର ଅହମଦାବାଦରେ ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ କରିବ ବୋଲି ର୍ପୂବାନୁମାନ କରାଯାଉଛି । ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ମୁମ୍ବାଇରେ ପ୍ରବଳ ପବନ ବହିବା ସାଙ୍ଗକୁ ସମୁଦ୍ରର ଢେଉ ଉଚ୍ଚ ରହିଛି । ସହରର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଏହା ସହ କେରଳର ଥିରୁବନନ୍ତପୁରମର ଶାଙ୍ଗଗୁମୁଗାମର ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରରେ ଢେଉ ଉଚ୍ଚ ରହିଛି । ଘୂର୍ଣ୍ଣିବଳୟ ଯୋଗୁଁ ଦେଶର ଅନେକ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନୁଯାୟୀ, ଜୁନ୍ ୧୨ ଅର୍ଥାତ୍ ଆଜି କେରଳ, କର୍ଣ୍ଣାଟକ, ଗୋଆ, କୋଙ୍କଣ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟରେ ପ୍ରବଳ ବର୍ଷା ହୋଇପାରେ । ଜୁନ୍ ୧୨ ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଗୁଜୁରାଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗରେ ଜୁନ୍ ୧୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ପାଣିପାଗ ବିଭାଗ କହିଛି ଯେ ଜୁନ୍ ୧୪ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ବର୍ଷା ସହିତ କୁଆପଥର ବର୍ଷା ହୋଇପାରେ ।

ଜୁନ୍ ୧୫ ରେ କୁଚ୍ ଜିଲ୍ଲା ଏବଂ ପାକିସ୍ତାନର କରାଚି ଉପକୂଳ ମଧ୍ୟରେ ଘୂର୍ଣ୍ଣିବଳୟ ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ କରିବାର ସମ୍ଭାବାନା ରହିଛି । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏନଡିଏଫ୍ ଟିମ୍ ନିୟୋଜିତ କରୁଛନ୍ତି । ଜୁନ୍ ୧୩ ରୁ ୧୫ ମଧ୍ୟରେ ପ୍ରବଳ ବର୍ଷା ଏବଂ ପବନର ବେଗ ୧୫୦ କିଲୋମିଟର ବେଗରେ କୁଚ, ଜାମନଗର, ମୋର୍ବି, ଗିର୍ ସୋମନାଥ, ପୋରବନ୍ଦର, ଏବଂ ଦେବଭୋମି ଦ୍ୱାରକା ଜିଲ୍ଲା ଏହି ଘୂର୍ଣ୍ଣିବଳୟ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ରବିବାର ଦିନ ଜଣେ ଅଧିକାରୀ କହିଛନ୍ତି ।

ଭାରତ ପାଣିପାଗ ବିଭାଗ ରବିବାର କହିଛି ଯେ ଜୁନ୍ ୧୫ ଅପରାହ୍ନରେ ସ୍ୱରାଷ୍ଟ୍ର-କୁଚ୍ ଏବଂ କରାଚି ଉପକୂଳ ଦେଇ ୧୨୫-୧୩୦ କିମି ରୁ ୧୫୦ କିମି ବେଗରେ ପବନ ବହିବ । ଜୁନ୍ ୧୪ ରେ ଅଳ୍ପ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଜୁନ୍ ୧୫ ରେ ପ୍ରଭାବିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

 

Get real time updates directly on you device, subscribe now.