ସମୁଦ୍ର ଭିତରେ ଶକ୍ତି ଏକାଠି କରୁଛି ବାତ୍ୟା: ବଢୁଛି ପବନର ବେଗ, ଆହୁରି ହେବ ଭୟଙ୍କର!

ପାରାଦୀପ: ସମୁଦ୍ର ଭିତରେ ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ରାତି ୧୨ଟା ପରେ ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ସ୍ଥଳଭାଗ ଛୁଇଁବା ପୂର୍ବରୁ ବାତ୍ୟାକୁ ନେଇ ଏବେ ଏକ ବଡ଼ ଅପଡେଟ ଆସିଛି । ବାତ୍ୟା ପାରାଦୀପଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ରହିଛି । ଲ୍ୟାଣ୍ଡଫଲ ପଏଣ୍ଟର ୬୦ କି.ମି ଦୂରରେ ଥିବା ବେଳେ ବାତ୍ୟା ଦୁର୍ବଳ ହେଉଥିବା ମନେ ହେଉଛି । ସମୁଦ୍ର ଭିତରେ ‘ଦାନା’ ବର୍ତ୍ତମାନ ସଂଘର୍ଷ କରୁଥିବା କହିଛି ପାଣିପାଗ ବିଭାଗ ।

ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ବାୟୁ ‘ଦାନା’ର ରାସ୍ତାରେ ବାଧା ସୃଷ୍ଟି କରୁଥିବା ଜାଣିବାକୁ ମିଳିଛି । ରାତି ୨ଟାରୁ ପ୍ରାୟ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିପାରେ । ତେବେ ଏହାପୂର୍ବରୁ ସମୁଦ୍ର ଭିତରେ ବାତ୍ୟା ଶକ୍ତି ଏକତ୍ର କରୁଥିବା କୁହାଯାଇଛି । ଦାନାକୁ ଉତ୍ତର-ପଶ୍ଚିମ ବାୟୁ ବାଧା ଦେଉଥିବାରୁ ବାତ୍ୟା ସଂଗଠିତ ହେବାରେ ଏବଂ ଶକ୍ତିଶାଳୀ ହେବାରେ ସଂଘର୍ଷ କରୁଛି । ମେଘଖଣ୍ଡ ଗୁଡ଼ିକ ସଂଗଠିତ ହେବା ପାଇଁ ସଂଘର୍ଷ କରୁଥିବା ପାଣିପାଗ ବିଭାଗ ସୂଚନା ଦେଉଛି । ଏ ନେଇ ପାଣିପାଗ ବିଜ୍ଞାନୀ ସନ୍ଦୀପ ପଟ୍ଟନାୟକ ବଡ଼ ସୂଚନା ଦେଇଛନ୍ତି ।