fbpx

ଐତିହାସିକ ସଫଳତା: ଦୁନିଆରୁ ମ୍ୟାଲେରିଆକୁ ‘ଅଲବିଦା’ କହିବାର ସମୟ ଆସିଗଲା, ବିକଶିତ ହେଲା ଟିକା

Advertisement

ନୂଆଦିଲ୍ଲୀ: ଏଣିକି ମ୍ୟାଲେରିଆରୁ ମିଳିବ ମୁକ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ଦୁନିଆରେ ପ୍ରଥମଥର ପ୍ରସ୍ତୁତ ହୋଇଥିବା ମ୍ୟାଲେରିଆ ବିରୋଧୀ ଟିକାକୁ ୩ ଆଫ୍ରିକୀୟ ଦେଶରେ ଲଗାଇବାକୁ ଘୋଷଣା କରିଛି । ଗ୍ଲାକ୍ସୋ ସ୍ମିଥକାଇନ୍ (ଜିଏସକେ) ଦ୍ୱାରା ନିର୍ମିତ ‘ମସ୍କୁରିକ୍ସ’ ନାମକ ଏହି ଟିକା ପ୍ରାୟ ୩୦ ପ୍ରତିଶତ ପ୍ରଭାବଶାଳୀ ଏବଂ ଏହାର ୪ ଟି ଡୋଜ ନେବାକୁ ପଡିବ । ଏହି ଟିକା ତିଆରି କରିବା ପାଇଁ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ୨୦୦ ମିଲିୟନ୍ ଡଲାର୍ ପ୍ରଦାନ କରିଥିଲା । ମ୍ୟାଲେରିଆ ବିରୋଧରେ ଲଢ଼େଇରେ ଏହି ଟିକାକୁ ଐତିହାସିକ ସଫଳତା ବୋଲି ଡବ୍ଲୁଏଚଓ କହିଛି ।

ତେବେ ଏହାର ମହଙ୍ଗା ମୂଲ୍ୟକୁ ଦୃଷ୍ଟିରେ ରଖି ଫାଉଣ୍ଡେସନ ଏହାକୁ ଲୋକଙ୍କୁ ବଣ୍ଟନ କରିବାର ମିଶନରୁ ନିଜ ହାତ ପଛକୁ ନେଇଛି । ଏହି ସପ୍ତାହରେ ଫାଉଣ୍ଡେସନ ଆସୋସିଏଟେଡ୍ ପ୍ରେସକୁ କହିଛି ଯେ, ଏବେ ଏହି ଟିକାକୁ ଆର୍ଥିକ ସାହାର୍ଯ୍ୟ ଦେବ ନାହିଁ ।

ଗେଟ୍ସ ଫାଉଣ୍ଡେସନର ମ୍ୟାଲେରିଆ ସମ୍ବନ୍ଧିତ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଫିଲିପ ୱେଲକହଫ ଏ ସମ୍ପର୍କରେ ସ୍ଥିତି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ମ୍ୟାଲେରିଆ ଟିକାର ପ୍ରଭାବ ଆମେ ଚାହୁଁଥିବା ତୁଳନାରେ ବହୁତ କମ୍ ଅଟେ । ଏହି ଟିକା ମଧ୍ୟ ବହୁତ ମହଙ୍ଗା ଏବଂ ଏହାକୁ ସଠିକ୍ ଲୋକଙ୍କୁ ଯୋଗାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆମେ ଅଧିକରୁ ଅଧିକ ଜୀବନ ବଞ୍ଚାଇବାକୁ ଚାହୁଁ, ତେବେ ଟିକାର ମୂଲ୍ୟ ଏବଂ କ୍ୱାଲିଟି ଉଭୟକୁ ଦେଖିବାକୁ ପଡିବ । ୱେଲକହଫ କହିଛନ୍ତି ଯେ, ଗେଟ୍ସ ଫାଉଣ୍ଡେସନ ଅନେକ ଚିନ୍ତା କରିବା ପରେ ଏହି ପ୍ରକଳ୍ପରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି ।

ୱେଲକହଫ କହିଛନ୍ତି ଯେ, ଗେଟ୍ସ ଫାଉଣ୍ଡେସନ ଭ୍ୟାକ୍ସିନ୍ ପ୍ରୋଜେକ୍ଟ ‘ଗାଭି’କୁ ସମର୍ଥନ କରିବ । ଏହି ପ୍ରୋଜେକ୍ଟ ଅଧୀନରେ ତିନୋଟି ଆଫ୍ରିକୀୟ ଦେଶ ଘାନା, କେନ୍ୟା ଏବଂ ମଲାୱିର ଲୋକମାନେ ଏହି ଟିକା ପାଇବେ । ଏଥିପାଇଁ ଫାଉଣ୍ଡେସନ ପ୍ରାୟ ୧୫.୬ କୋଟି ଆମେରିକୀୟ ଡଲାର ନିବେଶ କରିଛି ।

‘ଏହା ବିଶ୍ୱର ସବୁଠାରୁ ବଡ ଟିକା ନୁହେଁ, କିନ୍ତୁ ଏହାର ବ୍ୟବହାର ଏକ ବଡ ପ୍ରଭାବ ପକାଇପାରେ’ ବୋଲି ଲିଭରପୁଲ୍ ସ୍କୁଲ୍ ଅଫ୍ ଟ୍ରପିକାଲ୍ ମେଡିସିନରେ ବାୟୋଲୋଜିକାଲ ସାଇନ୍ସର ଡିନ୍ ଏଲିଷ୍ଟର କ୍ରେଗ କହିଛନ୍ତି । କ୍ରେଗ୍ କହିଛନ୍ତି, ‘ଏହା ନୁହେଁ ଯେ ଆମ ପାଖରେ ଅନେକ ବିକଳ୍ପ ଉପଲବ୍ଧ ଅଛି । ଆଗାମୀ ୫ବର୍ଷରେ ଅନ୍ୟ ଆଉ ଏକ ଟିକାକୁ ମଞ୍ଜୁରୀ ମିଳିପାରେ । କିନ୍ତୁ ଯଦି ଆମେ ସେ ପର୍ଯ୍ୟନ୍ତ ଅପେକ୍ଷା କରିବା ତେବେ ଅନେକ ଲୋକ ମରିପାରନ୍ତି ।’

 

Get real time updates directly on you device, subscribe now.