fbpx

ଦେଶର ୬୩ ଜିଲ୍ଲାରେ ନାହିଁ ବ୍ଲଡ୍ ବ୍ୟାଙ୍କ୍, ସଂସଦରେ ଏପରି କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଖାସ୍ କରି ଏହି ସମୟରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାରୀ ଓ ବେସରକାରୀ ସ୍ତରରେ ଅନେକ ବ୍ଲଡ୍ ବ୍ୟାଙ୍କ୍ ଖୋଲାଯାଉଛି । କିନ୍ତୁ ଏହାରି ମଧ୍ୟରେ ଏକ ବଡ଼ ଖବର ସାମନାକୁ ଆସିଛି । ଦେଶର ପ୍ରତି ଜିଲ୍ଲାରେ ବ୍ଲଡ୍ ବ୍ୟାଙ୍କ୍ ରହିବା ଆବଶ୍ୟକ ହେଉଥିବା ବେଳେ ବର୍ତ୍ତମାନର ଖବର ଅନୁଯାୟୀ ଦେଶର ୬୩ଟି ଜିଲ୍ଲାରେ ବ୍ଲଡ୍ ବ୍ୟାଙ୍କ୍ ନାହିଁ ।

ଦେଶରେ ମୋଟ ୩୫୦୦ ମାନ୍ୟତାପ୍ରାପ୍ତ ବ୍ଲଡ୍ ବ୍ୟାଙ୍କ ରହିଥିବା ବେଳେ ୬୩ଟି ଜିଲ୍ଲା ଏମିତି ରହିଛି ଯେଉଁଠାରେ ଗୋଟିଏ ବି ବ୍ଲଡ୍ ବ୍ୟାଙ୍କ ନାହିଁ। ତେବେ ଏନେଇ ଖୋଦ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଶୁକ୍ରବାର ଲୋକସଭାରେ କହିଛନ୍ତି ଯେ, ନ୍ୟାସନାଲ୍ ବ୍ଲଡ୍ ବ୍ୟାଙ୍କ ପଲିସି ଅନୁସାରେ ପ୍ରତି ଜିଲ୍ଲାରେ ବ୍ଲଡ୍ ବ୍ୟାଙ୍କ ହେବା ଜରୁରୀ ।

ଏହି ପରିପ୍ରେକ୍ଷୀରେ ନ୍ୟାସନାଲ୍ ବ୍ଲଡ୍ ବ୍ୟାଙ୍କ ପଲିସିରେ ହବ୍ ଏବଂ ସ୍ପୋକ୍ କଥା କୁହାଯାଇଛି । ହବ୍ରେ ରକ୍ତ ଏକତ୍ରିତ ଏବଂ ପ୍ରୋସେସ୍ କରାଯିବାକୁ ଥିବା ବେଳେ ସ୍ପୋକ ଜରିଆରେ ବିତରଣ କରାଯିବ। ଏହାକୁ ଛୋଟ ବ୍ଲଡ୍ ବ୍ୟାଙ୍କ ବା ବ୍ଲଡ୍ ଷ୍ଟୋରେଜ୍ ବୋଲି କୁହାଯାଏ।

ସଂସଦରେ ମନ୍ତ୍ରୀ କହିଛନ୍ତି, ‘ଦେଶର ୬୩ ଜିଲ୍ଲାରେ ଗୋଟିଏ ବି ବ୍ଲଡ୍ ବ୍ୟାଙ୍କ ନାହିଁ ।’ ମାଣ୍ଡଭିୟ କହିଛନ୍ତି, ‘ବିଭିନ୍ନ କାରଣ ପାଇଁ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ କରୁଛନ୍ତି। କିନ୍ତୁ ଏହି ସବୁ ଜିଲ୍ଲାର ରକ୍ତ ଆବଶ୍ୟକତା ପଡ଼ୋଶୀ ଜିଲ୍ଲାର ବ୍ଲଡ୍ ବ୍ୟାଙ୍କ ଜରିଆରେ ପୂରଣ କରଯାଉଛି। ତେଣୁ ଏହା ଉପରେ ଧ୍ୟାନ ଦେବା ଉଚିତ୍’ ।

Get real time updates directly on you device, subscribe now.