fbpx

କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ୨୧ ଥର ଲେଖିଲେ ‘ଓମ୍ ଶ୍ରୀରାମ’, ଏହି ନେତାଙ୍କୁ ନେଇ ଏବେ ହେଉଛି ଖୁବ୍ ଚର୍ଚ୍ଚା

Advertisement

ନୂଆଦିଲ୍ଲୀ: ତେଲଗୁ ଦେଶମ୍ ପାର୍ଟି (ଟିଡିପି) ନେତା ତଥା ଲୋକସଭା ସାଂସଦ କିଞ୍ଜରାପୁ ରାମ ମୋହନ ନାଇଡୁ ସାଧାରଣ ବିମାନ ଚଳାଚଳ ସେବା ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିଛନ୍ତି । ଏହା ପୂର୍ବରୁ ଗୁରୁବାର ଏକ ପାରମ୍ପରିକ ସମାରୋହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସମୟରେ ସେ ଏକ କାଗଜ ଉପରେ ୨୧ ଥର ଓମ୍ ଶ୍ରୀରାମ ଲେଖିଥିଲେ । ଦ୍ୱିପ୍ରହର ୧ଟା ୧୧ମି.ରେ ସେ ଏହି ଶୁଭ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କର ଏପରି କାର୍ଯ୍ୟ ବହୁ ପର୍ଯ୍ୟବେକ୍ଷକ ଓ ସହକର୍ମୀଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଏହାପରେ ସେ ନିଜ ମା’, ପତ୍ନୀ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସହ ତାଙ୍କର ନୂଆ ଭୂମିକା ବିଷୟରେ କଥା ହୋଇଥିଲେ ।

ରାମ ମୋହନ ନାଇଡୁ ରବିବାର କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ୩ ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିବା ୩୬ ବର୍ଷୀୟ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀମଣ୍ଡଳରେ ସବୁଠାରୁ କମ୍ ବୟସର କ୍ୟାବିନେଟ୍ ମନ୍ତ୍ରୀ । ସେ ସାଧାରଣ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନ ନେଉଛନ୍ତି । ସିନ୍ଧିଆଙ୍କୁ ଦୂର ସଞ୍ଚାର ମନ୍ତ୍ରୀ ପଦ ଦିଆଯାଇଛି । ଶପଥ ନେବା ପରେ ରାମ ମୋହନ ନାଇଡୁ କହିଛନ୍ତି, ଆମେ ବିମାନ ଯାତ୍ରାକୁ ଦେଶର ସାଧାରଣ ନାଗରିକଙ୍କ ଲାଗି ସୁଲଭ ଓ ଅଧିକ ସହଜ କରିବାକୁ ଚେଷ୍ଟା କରିବୁ ।

Get real time updates directly on you device, subscribe now.