ସିଏଏକୁ ନେଇ ଭ୍ରମ ସୃଷ୍ଟି କରାଯାଉଛି, ହିନ୍ଦୁ-ମୁସଲମାନ ନାଗରିକଙ୍କ ରହିଛି ସମାନ ଅଧିକାର; କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ସିଏଏକୁ ନେଇ କିଛି ଭ୍ରମ ସୃଷ୍ଟି କରାଯାଉଛି। ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ମୁସଲମାନଙ୍କ ନାଗରିକତା ସହିତ ସିଏଏର କୌଣସି ସମ୍ପର୍କ ନାହିଁ। ଭାରତର ଜଣେ ମୁସଲମାନ ନାଗରିକଙ୍କୁ ଭାରତୀୟ ହିନ୍ଦୁ ନାଗରିକଙ୍କ ଭଳି ସମାନ ଅଧିକାର ରହିଛି ବୋଲି ଗୃହ ମନ୍ତ୍ରାଳୟ କହିଛି। ସେ କହିଛନ୍ତି ଯେ ଭାରତୀୟ ମୁସଲମାନମାନେ ସିଏଏ କୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ କାରଣ ସିଏଏରେ ଏପରି କୌଣସି ବ୍ୟବସ୍ଥା ନାହିଁ, ଯାହା ସେମାନଙ୍କ ନାଗରିକତାକୁ ପ୍ରଭାବିତ କରିବ।

ଏପରିକି ବେଆଇନ ପ୍ରବାସୀଙ୍କୁ ଫେରାଇବା ପାଇଁ ସିଏଏ ଅଧୀନରେ କୌଣସି ବ୍ୟବସ୍ଥା ନାହିଁ। ଏହାର ବ୍ୟବସ୍ଥା ଭାରତୀୟ ମୁସଲମାନଙ୍କ ବିରୁଦ୍ଧରେ ବୋଲି କୁହାଯାଉଛି। କୌଣସି ଭାରତୀୟ ନାଗରିକଙ୍କୁ ନିଜର ନାଗରିକତା ପ୍ରମାଣ କରିବା ପାଇଁ କୌଣସି ଦସ୍ତାବିଜ ଦେଖାଇବାକୁ ପଡ଼ିବ ନାହିଁ। ସୋମବାର କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ ସମ୍ବନ୍ଧୀୟ ନିୟମାବଳୀର ବିଜ୍ଞପ୍ତି ଜାରି କରିଛନ୍ତି। ଏହି ସୂଚନା ଦେଇ ଗୃହ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ନାଗରିକତା ପାଇବାକୁ ହେଲେ ଅନଲାଇନରେ ଆବେଦନ କରିବାକୁ ପଡିବ। ଏଥିପାଇଁ ଖୁବ୍ ଶୀଘ୍ର ଏକ ୱେବ୍ ପୋର୍ଟାଲ ଆରମ୍ଭ କରାଯିବ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ କରି ଲେଖିଛନ୍ତି, ମୋଦି ସରକାର ନାଗରିକତା ସଂଶୋଧନ ନିୟମ, ୨୦୨୪ର ବିଜ୍ଞପ୍ତି ଜାରି କରିଛନ୍ତି, ଯାହା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ କରିବ। ଏହି ବିଜ୍ଞପ୍ତି ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦେଶଗୁଡ଼ିକରେ ରହୁଥିବା ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନମାନଙ୍କୁ ସମ୍ବିଧାନ ନିର୍ମାତାମାନେ ଦେଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ କରିଛନ୍ତି।