“ପହଲଗାମ ଆତଙ୍କବାଦୀ ପାକିସ୍ତାନରୁ ଆସିଥିବାର କୌଣସି ପ୍ରମାଣ ନାହିଁ”
ପୁଣି ପହଲଗାମ ଆତଙ୍କୀ ହମଲାକୁ ନେଇ ତେଜିଲା ରାଜନୀତି।
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ, ଯେଉଁ ରକ୍ତର ତାଣ୍ଡବ ରଚିଥିଲା ସେକଥା ଏବେବି ମନରୁ ଲିଭିନି। ଯେଉଁଥିପାଇଁ ଭାରତ ସରକାର ଆରମ୍ଭ କରିଥିଲେ ‘ଅପରେସନ୍ ସିନ୍ଦୂର’। ଆଉ ପାକିସ୍ତାନରେ ଖୋଜି ଖୋଜି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲେ।
ହେଲେ ପ୍ରକୃତରେ ପହଲଗମାରେ ଯେଉଁ ଆତଙ୍କବାଦୀମାନେ ଭାରତୀୟଙ୍କ ଉପରେ ଆକ୍ରମଣ କରିଥିଲେ, ସେମାନେ ପାକିସ୍ତାନର ବୋଲି କୌଣସି ଠୋସ୍ ପ୍ରମାଣ ନାହିଁ। ହେଲେ ଏକଥା ଆମେ କହୁନାହୁଁ ଏପରି କିଛି କହିଛନ୍ତି କଂଗ୍ରେସ ନେତା ପି ଚିଦାମ୍ବରମ।
କଂଗ୍ରେସ ନେତାଙ୍କ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଏପରି ମନ୍ତବ୍ୟ ରାଜନୈତିକ ମାହୋଲରେ ହଇଚଇ ସୃଷ୍ଟି କରିଛି। ଚିଦାମ୍ବରମଙ୍କ ଏହି ବୟାନ ପରେ ବିଜେପି ସମେତ ବିଭିନ୍ନ ଦଳର ନେତାମାନେ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି।
ଇମ୍ରାନ ମାସୁଦ ଚିଦାମ୍ବରମ ସପକ୍ଷରେ: ପହଲଗାମ ଆତଙ୍କବାଦୀଙ୍କ ଉପରେ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ବୟାନ ଉପରେ କଂଗ୍ରେସ ସାଂସଦ ଇମ୍ରାନ ମାସୁଦ କହିଛନ୍ତି, “ଯଦି ଆତଙ୍କବାଦୀମାନେ ପାକିସ୍ତାନରୁ ଆସିଥିଲେ, ତେବେ ଆମର ସୀମା କିପରି ସୁରକ୍ଷିତ?
ସେମାନେ ଆସିଥିଲେ, ଘଟଣା ଘଟାଇ ଚାଲିଗଲେ। ସେମାନେ କେଉଁଠାରୁ ଆସିଥିଲେ ଏବଂ କେଉଁଠାକୁ ଗଲେ। ଆମର ଜାଣିବାର ଅଧିକାର ଅଛି।”
କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି- “ପହଲଗାମ ଆତଙ୍କବାଦୀମାନେ ପାକିସ୍ତାନରୁ ଆସିଥିଲେ ବୋଲି କୌଣସି ପ୍ରମାଣ ନାହିଁ,” ସେ କହିଛନ୍ତି, “ସେ ଏ ବିଷୟରେ ଅଧିକ ସୂଚନା ମଧ୍ୟ ଦେଇପାରିବେ।”
କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କ’ଣ କହିଛନ୍ତି: ପହଲଗାମ ଆତଙ୍କବାଦୀଙ୍କ ଉପରେ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ବୟାନ ଉପରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି- “ଏ ପ୍ରଶ୍ନ ସରଳ, ଆମେ ଜାଣିବାକୁ ଚାହୁଁଛୁ ଯେ ଆମର ୨୬ ଜଣ ଭଉଣୀଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଆତଙ୍କବାଦୀମାନେ କେଉଁଠି?
ସରକାର ଏପର୍ଯ୍ୟନ୍ତ ବିଫଳ ହୋଇଛି… କାଶ୍ମୀରରେ ଖେଳାଯାଉଥିବା ବିପଦପୂର୍ଣ୍ଣ ଖେଳ ଦେଶ ପାଇଁ ଲାଭଦାୟକ ନୁହେଁ।” ଆମେ ଜାଣିବାକୁ ଚାହୁଁଛୁ ଯେ ସେହି ଆତଙ୍କବାଦୀମାନେ କିଏ, ସେମାନେ କେଉଁଠାରୁ ଆସିଥିଲେ ଏବଂ କାହିଁକି ସେମାନଙ୍କୁ ଏପର୍ଯ୍ୟନ୍ତ ଧରାଯାଇ ନାହିଁ।”
ଅଖିଳେଶ ଯାଦବ କ’ଣ କହିଲେ: ପି. ଚିଦାମ୍ବରମଙ୍କ ବିବୃତ୍ତି ଉପରେ ଯେ “ପହଲଗାମ ଆତଙ୍କବାଦୀମାନେ ପାକିସ୍ତାନରୁ ଆସିଥିଲେ ବୋଲି କୌଣସି ପ୍ରମାଣ ନାହିଁ,
” ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ କହିଛନ୍ତି, “କଂଗ୍ରେସ ପୂର୍ବରୁ ଦିଲ୍ଲୀରେ କ୍ଷମତାରେ ଥିଲା; ସେମାନଙ୍କ ପାଖରେ କିଛି ସୂଚନାର ଉତ୍ସ ଥାଇପାରେ।”
କଂଗ୍ରେସ ଏକ ଦେଶଦ୍ରୋହୀ ସଂଗଠନ ପାଲଟିଛି: ସେପଟେ ପି. ଚିଦାମ୍ବରମଙ୍କ ବିବୃତ୍ତି ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, “କଂଗ୍ରେସ ଏକ ଦେଶଦ୍ରୋହୀ ସଂଗଠନ ପାଲଟିଛି। ସ୍ୱାଧୀନତା ସଂଗ୍ରାମରେ ସାମିଲ ଥିବା କଂଗ୍ରେସର ଅସ୍ତିତ୍ୱ କ’ଣ?
ରାହୁଲ ଗାନ୍ଧୀ ଚୀନର କମ୍ୟୁନିଷ୍ଟ ପାର୍ଟି ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ତାଙ୍କ ବିରୁଦ୍ଧରେ ଦୁର୍ନୀତିର ବଡ଼ ଅଭିଯୋଗ ଅଛି। ସେ ଦେଶକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ବଞ୍ଚାଇଲେ। ତେଣୁ ରାହୁଲ ଏହି ଦୃଢ଼ ନେତୃତ୍ୱକୁ ହଜମ କରିପାରୁ ନାହାଁନ୍ତି।”