ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନର ଯୋଗାଣ ଉପରେ ପ୍ରଶ୍ନ ଉଠାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ। ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହିଁ ଭ୍ୟାକ୍ସିନର ଉପଲବ୍ଧତାକୁ ନେଇ ପ୍ରଶ୍ନ କରିଥିଲେ ଯେ, ଜୁଲାଇ ଆସିଲା, ହେଲେ ଭ୍ୟାକ୍ସିନ ଆସିଲା ନାହିଁ। ରାହୁଲ ଗାନ୍ଧୀଙ୍କ ଏହି ଟ୍ଵିଟ୍ ଉପରେ ଜବାବ ଦେଇ ହର୍ଷବର୍ଦ୍ଧନ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସମସ୍ୟା କଣ। ମୁଁ ଗତକାଲି ହିଁ ଭ୍ୟାକ୍ସିନ ଯୋଗାଣ ନେଇ ପୂରା ତଥ୍ୟ ରଖିଥିଲି। ବାସ୍ତବରେ ରାହୁଲଙ୍କ ସମସ୍ୟା କଣ ? ବୋଧହୁଏ ସେ ପଢୁ ନାହାନ୍ତି କିମ୍ବା କିଛି ବୁଝି ପାରୁ ନାହାନ୍ତି।
କେବଳ ଏତିକି ନୁହେଁ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ହର୍ଷବର୍ଦ୍ଧନ କହିଛନ୍ତି, ଅହଙ୍କାର ଭାଇରାସ୍ ପାଇଁ କୌଣସି ଭ୍ୟାକ୍ସିନ ନାହିଁ। ଏହା ବ୍ୟତୀତ ହର୍ଷବର୍ଦ୍ଧନ ରାହୁଲଙ୍କ ନେତୃତ୍ଵ କ୍ଷମତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, କଂଗ୍ରେସକୁ ନିଜର ନେତୃତ୍ଵରେ ବଡ ପରିବର୍ତ୍ତନ କରିବା ବିଷୟରେ ବିଚାର କରିବା ଉଚିତ୍। ଏଥିସହ ଭ୍ୟାକ୍ସିନକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ମଧ୍ୟ ଉତ୍ତର ରଖିଛନ୍ତି।
ସ୍ଵାସ୍ଥ୍ୟ ମନ୍ତ୍ରୀ ଲେଖିଛନ୍ତି, ମୁଁ ଦୁନିଆର ସବୁଠୁ ବଡ ଟିକାକରଣ ଅଭିଯାନକୁ ନେଇ ଅନେକ ନେତାଙ୍କ ବେପରୁଆ ବୟାନ ଦେଖିଛି। ମୁଁ କିଛି ତଥ୍ୟ ରଖିବାକୁ ଚାହୁଁଛି, ଯଦ୍ଵାରା ଲୋକଙ୍କୁ ଏହି ପରି ନେତାଙ୍କ ଚିନ୍ତାଧାରା ବିଷୟରେ ଜାଣି ପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୫ ପ୍ରତିଶତ ମାଗଣା ଟିକାକରଣର ଦାୟିତ୍ଵ ଉଠାଇବା ପରେ ଜୁନ ମାସରେ ସରକାର ୧୧ କୋଟି ୫୦ ଲକ୍ଷ କୋଟି ଡୋଜ୍ ଯୋଗାଇ ଦେଇଛନ୍ତି। କିନ୍ତୁ ବିରୋଧୀଙ୍କ ମୁଣ୍ଡରେ ଏସବୁ ପଶୁ ନାହିଁ କି ସେମାନେ ବୁଝିବାକୁ ପ୍ରସ୍ତୁତ ନାହାନ୍ତି ବୋଲି ହର୍ଷବର୍ଦ୍ଧନ କହିଛନ୍ତି।