fbpx

ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ୟୁକ୍ରେନର ୬୫ ଜଣ ବନ୍ଦୀ ନାଗରିକ: ଋଷିଆ

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ତିକ୍ତତା ମଧ୍ୟରେ ଏହାକୁ ଆହୁରି ବିବାଦୀୟ କରିଛି ଭୟଙ୍କର ବିମାନ ଦୁର୍ଘଟଣା । ପଶ୍ଚିମ ବେଲଗରୋଡ ଅଞ୍ଚଳରେ ଏହି ବିମାନ ଦୁର୍ଘଟଣାଟି ଘଟିଯାଇଛି । ତେବେ ଦୁର୍ଘଟଣାର ଶିକାର ହେବାରୁ IL-76 ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନ ନଷ୍ଟ ହୋଇଯାଇଛି । କିନ୍ତୁ ବର୍ତ୍ତମାନୠଷିଆ ଏହି ଦୁର୍ଘଟଣାରକୁ ନେଇ ଏକ ବଡ଼ ରିପୋର୍ଟ ଜାରି କରିଛି । ୟୁକ୍ରେନ ବିପକ୍ଷ ଯୁଦ୍ଧରୁ ପ୍ରାୟ ୬୫ ଜଣ ବନ୍ଦୀ ନାଗରିକ ଏହି ବିମାନରେ ରହିଥିବା ନେଇ ଦାବି କରିଛି ଋଷିଆ । ଏହି ବନ୍ଦୀମାନଙ୍କୁ ନେଇ ଯିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଋଷିଆ ପକ୍ଷରୁ ଦାବି ହୋଇଛି ।

ସୋସିଆଲ ମିଡିଆରେ ଏହାକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ଦେଖାଯାଇଛି ଯେ, ଏକ ବଡ଼ ବିମାନ ମଧ୍ୟରେ ବେଲଗରୋଡ ଅଞ୍ଚଳରେ ଦୁର୍ଘଟଣାର ସାମନା କରିଛି । ଫାୟାରବଲ ସହ ଧକ୍କା ହେବା ପୂର୍ବରୁ ଏହା ଆକାଶମାର୍ଗରୁ ଖସି ପଡ଼ିଥିବା ଏହି ଭିଡିଓରେ ଦେଖାଯାଇଛି । ଆଜି ସକାଳ ପ୍ରାୟ ୧୧ଟା ସମୟରେ ଏକ IL-76 ଏୟାରକ୍ରାଫ୍ଟ ବେଲଗରୋଡ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏ ନେଇ ମସ୍କୋର ରକ୍ଷା ମନ୍ତ୍ରାଳୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ବିମାନରେ ୟୁକ୍ରେନରୁ ଗିରଫ ହୋଇଥିବା ୬୫ ଜଣ ବନ୍ଦୀ ସୈନ୍ୟଙ୍କୁ ଅଦଳବଦଳ କରିବା ପାଇଁ ନିଆଯାଉଥିଲା । ଏହାବ୍ୟତୀତ ବିମାନରେ ୬ ଜଣ କ୍ର୍ୟୁ ମେମ୍ବର ଏବଂ ୩ ଜଣ ଏସକର୍ଟ ସଦସ୍ୟ ମଧ୍ୟ ରହିଥିବା ସୂଚନା ମିଳିଛି ।

ତେବେ ଋଷର ଏହି ଦାବିକୁ ସହଜରେ ଗ୍ରହଣ କରିବାକୁ ଏଏଫପି ନାରାଜ ଥିବା ବେଳେ ଯାତ୍ରୀମାନଙ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ । ବେଲଗରୋଡ ରାଜଧାନୀର ଉତ୍ତର-ପୂର୍ବ ଅଞ୍ଚଳ କୋରୋଚାନସ୍କିରେ ଏହି ବିମାନ ଦୁର୍ଘଟଣା ଘଟିଥିବା ନେଇ ଜିଲ୍ଲାପାଳ ଭ୍ୟାଚେସ୍ଲାବ ଗ୍ଲାଡକୋଭ ଟେଲିଗ୍ରାମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଘଟଣାସ୍ଥଳରେ ଏକ ତଦନ୍ତକାରୀ ଟିମ ସହ ଜରୁରୀକାଳୀନ ସେବା ଉପଲବ୍ଧ କରାଯାଇଛି । ଏହାସହିତ ଗ୍ଲାଡକୋଭ ଅନ୍ୟାନ୍ୟ କାର୍ଯ୍ୟ ରଦ୍ଦ କରି ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିଥିବା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.