ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ହେବ, ଅକ୍ଷୟ ତୃତୀୟ ପୂର୍ବରୁ ରତ୍ନଭଣ୍ଡାର ମରାମତି ସାରିବା ଲକ୍ଷ୍ୟ : ଅରବିନ୍ଦ ପାଢ଼ୀ

କୋଠ ଭୋଗରେ ଜୈବିକ ଚାଉଳରେ ଅମୃତ ଅନ୍ନ ପ୍ରସ୍ତୁତ ହେବ ।

ଭୁବନେଶ୍ବର: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ବେଳେ ବର୍ତ୍ତମାନ ଶେଷ ହୋଇଛି । ବୈଠକ ପରେ କଣ ନିଷ୍ପତ୍ତି ହେଲା ସେନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଘୋଷଣା କରିଛନ୍ତି ।

ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି । ମୁଖ୍ୟ ପ୍ରଶାସକଙ୍କ କହିବା ଅନୁସାରେ, ରତ୍ନଭଣ୍ଡାରର ୫ଟି ବିମ୍‌ ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ଯାଇଥିଲା । ଭିତର ଓ ବାହାର ରତ୍ନଭଣ୍ଡାରକୁ ସଂଯୋଗ କରୁଥିବା ବିମ୍‌ ନଷ୍ଟ ହୋଇଥିଲା । ମରାମତି ବେଳେ ଷ୍ଟେନଲେସ୍‌ ଷ୍ଟିଲ୍‌ର ବକ୍ସ ବିମ୍‌ ଲାଗିଛି । ଅକ୍ଷୟ ତୃତୀୟ ପୂର୍ବରୁ ରତ୍ନଭଣ୍ଡାର ମରାମତି ସାରିବା ଲକ୍ଷ୍ୟ ରଖାଯାଇଥିବା ନେଇ ସେ କହିଛନ୍ତି ।

ସେହିପରି ମହାପ୍ରଭୁଙ୍କ ଭିତର ଫଟୋ ଭାଇରାଲ୍‌ ରୋକିବାକୁ ପଦକ୍ଷେପ ନେବୁ ବୋଲି କହିଲେ ଅରବିନ୍ଦ ପାଢୀ । ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରି କଠୋର ଦଣ୍ଡ ବ୍ୟବସ୍ଥା ହେବ । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଗଠିତ କମିଟି ଆଇନ ପରିବର୍ତ୍ତନ ନେଇ ସରକାରଙ୍କୁ ସୁପାରିସ କରିବ ବୋଲି କହିଛନ୍ତି ।

ଅନ୍ୟପଟେ କୋଠ ଭୋଗରେ ଜୈବିକ ଚାଉଳରେ ଅମୃତ ଅନ୍ନ ପ୍ରସ୍ତୁତ ହେବ । ଓଡ଼ିଆ ନବ ବର୍ଷରୁ ମହାପ୍ରଭୁଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଆରମ୍ଭ ହେବ । ଗୁଣ୍ଡିଚା ମନ୍ଦିର ପାଖରେ ସୂଚନା କେନ୍ଦ୍ର ରହିବ, LED ଡିସ୍‌ପ୍ଲେ ଲାଗିବ ବୋଲି ସେ କହିଛନ୍ତି ।