ଭୁବନେଶ୍ୱର: ବିଜେପି ପରେ ସାଙ୍ଗଠନିକ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ବିଜେଡି। ଦଳରେ ରାଜ୍ୟସ୍ତରୀୟ ଓ ଜିଲ୍ଲା ଜିଲ୍ଲାସ୍ତରୀୟ ବିଭିନ୍ନ ପଦବି ପାଇଁ ସାଙ୍ଗଠନିକ ନିର୍ବାଚନ ହେବ। ତେଣୁ ପୂର୍ବଥର ଭଳି ଏଥର ବି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ଏବେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଥିବା ପ୍ରତାପ ଦେବଙ୍କୁ ବିଜେଡିର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।
ବିଜେଡି ସଭାପତି ନବୀନ ପଟ୍ଟନାୟକ ଶ୍ରୀ ଦେବଙ୍କୁ ଏହି ନିଯୁକ୍ତି ଦେଇଥିବା ବେଳେ ଆଗାମୀ ଦିନରେ ସେ ସାରା ରାଜ୍ୟରେ ନିର୍ବାଚନ ପରିଚାଳନା ପାଇଁ ପର୍ଯ୍ୟବେକ୍ଷକ ଓ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବେ। ଏହା ସହିତ ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀ ମଧ୍ୟ ନିଯୁକ୍ତି ଦିଆଯିବ। ଏବେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ସରିବା ପରେ ସାଙ୍ଗଠନିକ ନିର୍ବାଚନକୁ ଗୁରୁତ୍ବ ଦିଆଯାଉଛି।
ସାଙ୍ଗଠନିକ ନିର୍ବାଚନର ଏହି ପ୍ରକ୍ରିୟା ୧୧ରୁ ୧୨ ସପ୍ତାହ ଧରି ଚାଲିବ ବୋଲି ବିଜେଡିର ବରିଷ୍ଠ ନେତା ସୂଚନା ଦେଇଛନ୍ତି। ସାଙ୍ଗଠନିକ ନିର୍ବାଚନ ସରିବା ପରେ ଦଳକୁ ଆଗାମୀ ଦିନରେ ଜିଲ୍ଲାସ୍ତରରେ ମିଳିବେ ନୂଆ ନେତା। ଭବିଷ୍ୟତରେ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଦଳକୁ କେମିତି ଅଧିକ ମଜଭୁତ କରାଯିବ, ସେ ନେଇ ନୂଆ ତଥା ଗଣୁଆ ନେତା ନିର୍ବାଚିତ କରିବାକୁ ଦଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି।
ବିଶେଷ କରି ଦଳରେ ଅଧିକ ଗ୍ରହଣୀୟତା ରହିଥିବା ତଥା ସମସ୍ତଙ୍କୁ ନେଇ ଚାଲୁଥିବା ନେତାଙ୍କୁ ସୁଯୋଗ ମିଳିବ। ଦଳରେ ନେତା ନେତାଙ୍କ ଭିତରେ ଥିବା ଅସନ୍ତୋଷକୁ ଦୂର କରି କେମିତି ନିର୍ବିବାଦୀୟ ନେତୃତ୍ୱଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବିଭିନ୍ନ ପଦବି ମିଳିବ ସେ ନେଇ ଆଗକୁ ଦଳ ଗୁରୁତ୍ବ ଦେବ ବୋଲି ସୂଚନା ମିଳିଛି।