ଖରାରୁ ମିଳିବ ତ୍ରାହି, ଆଜିଠୁ ପାଗରେ ପରିବର୍ତ୍ତନ, ରାଜ୍ୟରେ ହେବ ବର୍ଷା

ଡ଼ହ ଡ଼ହ ଖରାରୁ ମିଳିବ ମୁକ୍ତି। ପାଣିପାଗ ବିଭାଗର ଆକଳନ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଛି। ଏହାସହ ବର୍ଷା ହେବା ନେଇ ମଧ୍ୟ ପାଣିପାଗ ଆକଳନ କରିଛି।

ଭୁବନେଶ୍ୱର: ଡ଼ହ ଡ଼ହ ଖରାରେ ସିଝୁଥିଲା ପୁରା ଓଡ଼ିଶା। ଏମିତିକି ଗ୍ରୀଷ୍ମ ଦିନ ଆରମ୍ଭରୁ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଥିଲା ତାପମାତ୍ରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ପାର କରିଥିଲା ଭୁବନେଶ୍ୱର ତାପମାତ୍ରା। ହେଲେ ଏହି ଖରା ଯନ୍ତ୍ରଣାରୁ ଏବେ ଆଶ୍ୱସ୍ତି ମିଳିବ।

କାରଣ ଆଜିଠାରୁ ପାଗରେ ପରିବର୍ତ୍ତନ ହେବ। ଆଉ ରାଜ୍ୟରେ କମିବ ତାତି। ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଛି। ଏହାସହ ବର୍ଷା ହେବା ନେଇ ମଧ୍ୟ ପାଣିପାଗ ଆକଳନ କରିଛି। ଏପ୍ରିଲ୍ ପହିଲାରୁ ତାପମାତ୍ରା ହ୍ରାସ ପାଇବା ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।

ବିଶେଷକରି ଦକ୍ଷିଣ ଓଡ଼ିଶାରେ ଆସନ୍ତା ୨, ୩ ଓ ୪ ତାରିଖରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଓଡ଼ିଶାରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଏପ୍ରିଲ ୨ ତାରିଖରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ମେଘୁଆ ପାଗ ସହ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି।

ସେହିପରି ୩ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ଜାରି ରହିବ। ୪ ତାରଖରେ ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଓ ରାୟଗଡ଼ାରେ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।