fbpx

ମୋଦୀଙ୍କ ୭ ଓଣ୍ଡର ଓମ୍ୟାନ୍: କ୍ୟାବିନେଟରେ ଦେଖାଇବେ ଜଲୱା

Advertisement

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କରେ ମହିଳା ଏବଂ ପୁରୁଷ ରାଜନୈତିକ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଦେଖା ଦେଉଥିବା ତାରତମ୍ୟ ଟିକିଏ କମ୍ । ତେବେ ଭାରତରେ ପୁରୁଷ ଏବଂ ନାରୀ ନେତ୍ରୀଙ୍କ ମଧ୍ୟରେ ବ୍ୟବଧାନ ଢେର ଅଧିକ । ମନ୍ତ୍ରୀପଦ ସମ୍ପର୍କରେ ଆଲୋଚନା ନକରିବା ହିଁ ଭଲ । ୨୦୧୯ ସାଧାରଣ ନିର୍ବାଚନରେ ସର୍ବାଧିକ ସଂଖ୍ୟାରେ ମହିଳା ସାଂସଦ ନିର୍ବାଚିତ ହୋଇ ଆସିଥିବା ବେଳେ ମୋଦୀ ସରକାରଙ୍କ ପ୍ରଥମ କ୍ୟାବିନେଟରେ ମାତ୍ର ୫ ଜଣ ମହିଳାଙ୍କୁ ସାମିଲ କରାଯାଇଥିଲା । ପରବର୍ତ୍ତୀ ସମୟରେ ହରସିମରତ କୌର ବାଦଲ ଇସ୍ତଫା ଦେବା ପରେ ଏହି ସଂଖ୍ୟା ୪ରେ ପହଞ୍ଚିଥିଲା । ମାତ୍ର ବୁଧବାର ଅନୁଷ୍ଠିତ ସଂପ୍ରସାରଣରେ ୭ ଜଣ ମହିଳା ସାଂସଦଙ୍କୁ ସାମିଲ କରିଛି ବିଜେପି । ନରସିଂହ ରାଓ ସରକାରରେ ସର୍ବାଧିକ ୧୨ ଜଣ ମହିଳାଙ୍କୁ କ୍ୟାବିନେଟରେ ସାମିଲ କରାଯାଇଥିବା ବେଳେ ୧୧ ମହିଳା ମନ୍ତ୍ରୀଙ୍କ ସହିତ ଦ୍ୱିତୀୟୟ ସ୍ଥାନରେ ରହିଛନ୍ତି ମୋଦୀ । ଚଳିତ କ୍ୟାବିନେଟରେ ହାରାହାରି ବୟସ ୫୮ ରହିଥିବା ବେଳେ ଏହି ୭ ମନ୍ତ୍ରୀଙ୍କ ହାରାହାରି ବୟସ ୫୧ ତଳକୁ ରହିଛି । ଆସନ୍ତୁ ଜାଣିବା ମୋଦୀଙ୍କ ଏହି ୭ ଓଣ୍ଡର ଓମ୍ୟାନଙ୍କ ସମ୍ପର୍କରେ ।

ଅନୁପ୍ରିୟା ସିଂ ପଟେଲ(୪୦): ମିର୍ଜାପୁରର ସାଂସଦ ଅନୁପ୍ରିୟା ପଟେଲ ଦ୍ୱିତୀୟ ଥର ପାଇଁ ଏନଡିଏ ମେଣ୍ଟରେ ମନ୍ତ୍ରୀ ହେବାକୁ ଯାଉଛନ୍ତି । ଅପନା ଦଳର ଏହି ସାଂସଦ ଜଣଙ୍କ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗରେ କେନ୍ଦ୍ର ମନ୍ତ୍ରୀ ରହିଥିଲେ । ଛତ୍ରପତି ଶାହୁଜୀ ମହାରାଜ ବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଥିବା ଅନୁପ୍ରିୟା ବୁଧବାର ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ଆମିଟୀ ୟୁନିଭର୍ସିଟିରେ ପ୍ରଫେସର ଥିଲେ ।

ସୁଶ୍ରୀ ଶୋଭା କରଣ୍ଡଲାଜେ(୫୪): କର୍ଣ୍ଣାଟକର ଉଡୁପିରୁ ସାଂସଦ ରହିଥିବା ସୁଶ୍ରୀ ଦ୍ୱିତୀୟ ଥର ସାଂସଦ ହେବା ପରେ ମନ୍ତ୍ରୀତ୍ୱ ଲାଭ କରିଛନ୍ତି । ଦୁଇଥର କର୍ଣ୍ଣାଟକ ବିଧାନସଭାକୁ ନିର୍ବାଚିତ ହୋଇଥିବା ସୁଶ୍ରୀ ଖାଦ୍ୟ ଯୋଗାଣ, ଶକ୍ତି, ପଞ୍ଚାୟତିରାଜ ଭଳି ବିଭାଗରେ ମନ୍ତ୍ରୀ ରହି ସାରିଛନ୍ତି । ମାଙ୍ଗାଲୋର ବିଶ୍ୱ ବିଦ୍ୟାଳୟରୁ ସୋସିଓଲୋଜିରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି ଏହି ନେତ୍ରୀ ।

ଦର୍ଶନା ବିକ୍ରମ ଜର୍ଦ୍ଦୋସ(୬୦): ସୁରଟରୁ କ୍ରମାଗତ ୩ ଥର ସାଂସଦ ହୋଇଥିବା ଦର୍ଶନା ପ୍ରଥମ ଥର ପାଇଁ ମନ୍ତ୍ରୀପଦ ହାସଲ କରିଛନ୍ତି । ମୁଖ୍ୟସ୍ରୋତର ରାଜନୀତିକୁ ଆସିବା ପୂର୍ବରୁ ଦର୍ଶନ ସୁରତ ମହାନଗର ନିଗମରେ କର୍ପୋରେଟର ରହିଥିଲେ । ଏହା ସହିତ ଗୁଜରାଟ ସାମାଜିକ ମଙ୍ଗଳ ବୋର୍ଡର ସଦସ୍ୟ ଭାବେ ରହିଥିଲେ ଦର୍ଶନା । କଳା ଓ ସଂସ୍କୃତି ସଂସ୍ଥା ସଂସ୍କୃତିର ନିର୍ଦ୍ଦେଶକ ରହିଥିବା ଦର୍ଶନା କେପି କମର୍ସ କଲେଜରୁ ବିକମ୍ ଡିଗ୍ରୀ ହାସଲ କରିଛନ୍ତି ।

ମୀନାକ୍ଷୀ ଲେଖି(୫୪): ଦିଲ୍ଳୀ ବିଜେପିର ଅନ୍ୟତମ ପ୍ରମୁଖ ନେତ୍ରୀ ମୀନାକ୍ଷି ଦ୍ୱିତୀୟ ଥର ସଂସଦକୁ ପ୍ରବେଶ କରିଥିବା ବେଳେ ମନ୍ତ୍ରୀପଦ ହାସଲ କରିଛନ୍ତି । ପେଶାରେ ସୁପ୍ରିମକୋର୍ଟ ଓକିଲ ଥିବା ମୀନାକ୍ଷୀ ଦିଲ୍ଲୀ ମହାନଗର ନିଗମର ସଦସ୍ୟ ରହି ସାରିଛନ୍ତି । ଦିଲ୍ଲୀ ୟୁନିଭର୍ସିଟିରୁ ଏଲଏଲବି ସମାପ୍ତ କରିଛନ୍ତି ମୀନାକ୍ଷୀ ।

ଅନ୍ନପୂର୍ଣ୍ଣା ଦେବୀ (୫୧): ମାତ୍ର ୩୦ ବର୍ଷ ବୟସରେ ବିହାରର ମନ୍ତ୍ରୀ ହୋଇଥିବା ଅନ୍ନପୂର୍ଣ୍ଣା ନିଜର ପ୍ରଥମ କାର୍ଯ୍ୟକାଳରେ ମନ୍ତ୍ରୀ ହୋଇଛନ୍ତି । ବିହାର ଓ ଝାରଖଣ୍ଡର ୪ ଥର ବିଧାୟିକା ହୋଇଥିବା ଅନ୍ନପୂର୍ଣ୍ଣା ପୂର୍ବରୁ ଜଳସେଚନ, ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ରହି ସାରିଛନ୍ତି । ରାଞ୍ଚି ୟୁନିଭର୍ସିଟିରୁ ଇତିହାସରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି ଅନ୍ନପୂର୍ଣ୍ଣା ।

ସୁଶ୍ରୀ ପ୍ରତିମା ଭୌମିକ୍ (୫୨): ଏକ ଚାଷୀ ପରିବାରରୁ ଆସିଥିବା ତ୍ରିପୁରାର ଏହି ମହିଳା ସାଂସଦ ସୁଶ୍ରୀ ପ୍ରତିମା ଭୌମିକଙ୍କର ଏହା ପ୍ରଥମ କାର୍ଯ୍ୟକାଳ । ଭୌମିକ୍ ବାୟୋ ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

ଭାରତୀ ପ୍ରବୀଣ ପୱାର(୪୨): ପ୍ରଥମ ଥର ପାଇଁ ସାଂସଦ ପ୍ରବେଶ କରିଥିବା ଭାରତୀଙ୍କୁ ମନ୍ତ୍ରୀପଦ ମିଳିଛି । ଏହା ପୂର୍ବରୁ ଭାରତୀ ନାଶିକ ଜିଲ୍ଲା ପରିଷଦର ସଦସ୍ୟ ରହିଥିଲେ । ରାଜନୀତିିରେ ପ୍ରବେଶ କରିବା ପୂର୍ବରୁ ଭାରତୀ ବୃତିଗତ ଭାବରେ ଜଣେ ଡାକ୍ତର ଥିଲେ । ଭାରତୀ ସର୍ଜରୀରେ ଏମବିବିଏସ ଡିଗ୍ରୀ ହାସଲ କରିଛନ୍ତି ।

Get real time updates directly on you device, subscribe now.