ବାହାଘରକୁ ଆସିଲେ ଭୋଜି ଖାଇଲେ, ଅତିଥି ବେଶରେ ଟଙ୍କା ସହ ସୁନା ଲୁଟ୍ କରିନେଲେ
ରାଜଧାନୀ ଭୁବନେଶ୍ୱର ପାଲଟିଛି ଡକାୟତଙ୍କ ଆଡାସ୍ଥଳ। ଭିଡ ସ୍ଥାନ ଦେଖି କରୁଛନ୍ତି ଲୁଟ୍। ଡାକ୍ତର ଦମ୍ପତ୍ତିଙ୍କ ବାହାଘରରେ ଅତିଥି ବେଶରେ ଯାଇ ବୁଲାଇଦେଲେ କଳାକନା।
ଭୁବନେଶ୍ୱର: ଅତିଥି ବେଶରେ ଆସିଲେ ଟଙ୍କା, ସୁନା ଗହଣା ଧରି ଚମ୍ପଟ ମାରିଲେ। ନୂଆ ଫଣ୍ଡା ଆପଣାଇଛନ୍ତି ଲୁଟେରା। ଭିଡ଼ ସ୍ଥାନ ବା ବାହାଘର, ବ୍ରତଘର ଉପରେ ଚୋରଙ୍କ ନଜର।
ଭିଡ଼ ସ୍ଥାନ ଦେଖି ପଶୁଛନ୍ତି। ଆଉ ସମୟ ସୁବିଧା ଦେଖି କଳା କନା ବୁଲାଇ ଦେଉଛନ୍ତି। ଆଉ ଏବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ଡାକ୍ତର ଦମ୍ପତ୍ତିଙ୍କ ବାହାଘରକୁ ଆସି ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର।
ଡକାୟତଙ୍କ ନଜରରେ ରାଜଧାନୀ: ରାଜଧାନୀ ଏବେ ପାଲଟିଛି ଡକାୟତିର ସହର। କିଛି ଦିନ ତଳେ ବିଭିନ୍ନ ଆପାର୍ଟମେଣ୍ଟରେ ଚୋରି ହେଉଥିଲା। ଲୁଟେରାଙ୍କ ହଟସ୍ପଟ ପାଲଟିଥିଲା ଆପାର୍ଟମେଣ୍ଟ।
କିନ୍ତୁ ଏବେ ଭିଡ଼ ସ୍ଥାନ ଓ ବାହାଘର ଉପରେ ଚୋରଙ୍କ ଆଖି। ଯେହେତୁ ଏବେ ବାହାଘର ସିଜିନ ଚାଲିଛି ତେଣୁ ବାହାଘର ଭିଡ଼ର ଫାଇଦା ଉଠାଉଛନ୍ତି ଚୋର। ସାଧାରଣ ଲୋକଙ୍କ ଆଖି ଆଢୁଆଳରେ ରହି କରୁଛନ୍ତି ଆତ୍ମସାତ୍। କେହି ବି ଟେର ପାଉନାହାନ୍ତି। ଠିକ୍ ସେହିପରି ଡାକ୍ତର ଦମ୍ପତ୍ତିଙ୍କ ବାହାଘରରେ ହୋଇଛି ଚୋରି।
କିପରି ହେଲା ଚୋରି: ଘଟଣା ହେଉଛି ରବିବାର ରାତିର। ଯେତେବେଳେ କି ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ଡାକ୍ତର ଦମ୍ପତ୍ତିଙ୍କ ବାହାଘର ଚାଲିଥାଏ। ଅନେକ ଅତିଥି ମଧ୍ୟ ଏହି ବାହାଘରରେ ଯୋଗ ଦେଇଥାନ୍ତି।
ସେତେବେଳେ ଦୁଇଜଣ ଯୁବକ ମଧ୍ୟ ଏହି ବାହାଧରକୁ ଆସିଥିଲେ। ତାହା ପୁଣି ଅତିଥି ବେଶରେ। ହେଲେ ସମୟ ସୁଯୋଗ ଦେଖି ଡାକ୍ତର ଦମ୍ପତିଙ୍କୁ ଉପହାରରେ ମିଳିଥିବା ନଗଦ ଅଢେଇ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍ କରିନେଲେ।
CCTV ଫୁଟେଜ: ପରେ ଚୋରି ହୋଇଥିବା କଥା ଜଣା ପଡିବା ପରେ CCTV ଚେକ ହୋଇଥିଲା। ଯେଉଁଥିରୁ ଜଣା ପଡିଥିଲା କି ୨ ଜଣ ଯୁବକ ଅତିଥି ବେଶରେ ଆସି କଳାକନା ବୁଲାଇ ଦେଇଛନ୍ତି।
ମାତ୍ର ୧୫ ମିନିଟ୍ ଭିତରେ ଦୁଇ ଚୋର ଘଟଣାସ୍ଥଳରୁ ଟଙ୍କା ଓ ଗହଣା ଭର୍ତ୍ତି ବ୍ୟାଗ ଉଠାଇ କାରରେ ଛୁ ମାରିଥିବା ଦେଖିବାକୁ ମିଳିଛି। କିନ୍ତୁ ମୈତ୍ରବିହାର ଥାନା ପୋଲିସ ଚୋରଙ୍କୁ କାବୁ କରିବାରେ ସଫଳ ହୋଇ ପାରିନି।