fbpx

ଚୋରକୁ ଧରିପାରିଲାନି ପୋଲିସ, ଚୋରକୁ ଧରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ବ୍ଲକ ତୁଳସୀପୁର ବଜାରରୁ ଜଣେ ଯୁବକ ଗତ ୩ ଦିନ ତଳେ ଶାବଳ ଦ୍ୱାରା ରଡ, ସିମେଣ୍ଟ ଦୋକାନ କାନ୍ଥ ତାଡି ୧୫ ହଜାର ଟଙ୍କା ଓ ଅନ୍ୟ ସାମଗ୍ରୀ ଚୋରାଇ ନେଇଥିବା ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଫାଣ୍ଡି ଅଧିକାରୀ ଚୋରକୁ ଧରିପାରି ନ ଥିବା ବେଳେ ଗ୍ରାମବାସୀ ଚୋରକୁ ଧରି ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମା ଦଇଛନ୍ତି । ଫାଣ୍ଡି ଅଞ୍ଚଳରେ ଫାଣ୍ଡି ପୋଲିସର ଦୁର୍ବଳତା କାର୍ଯ୍ୟ ହେତୁ ଅପରାଧୀଙ୍କ କାର୍ଯ୍ୟ ବଢିବାରେ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ, ତୁଳସୀପୁର ଗ୍ରାମର ଲିଙ୍ଗରାଜ ସାହୁଙ୍କ ରଡ, ସିମେଣ୍ଟ ଦୋକାନ ତୁଳସୀପୁର ବଜାରର ଲକ୍ଷ୍ମୀ ବଜାରରେ ରହିଛି । ଗତ ୩ ଦିନ ତଳେ ବିଳମ୍ବିତ ରାତ୍ରିରେ କୌଣସି ଚୋର ଦୋକାନ ଭିତରେ ପଶି ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିଲା । ଫାଣ୍ଡିରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଚୋରି ଯାଇଥିବା ବ୍ୟକ୍ତି ଖୋଜ ଖବର କରି ଜାଣିବାକୁ ପାଇଲେ ଗୋପ ଥାନା ବିସୁଳିପଡା ଚଢେଇଖିଆ ଗ୍ରାମର ତାଲିମ୍‌ ଖାଁ (୨୫) ନାମକ ଯୁବକ ଚୋରି କରିଛି । ସୋମବାର ପୂର୍ବାହ୍ନରେ ତାଲିମ୍‌ ଅମରେଶ୍ୱର ବଜାରରେ ଥିବା ବେଳେ ତୁଳସୀପୁର ଗ୍ରାମର କେତେକ ବ୍ୟକ୍ତି ସେଠାରେ ପହଞ୍ଚି ଚୋରକୁ ଧରି ତୁଳସୀପୁର ବଜାରକୁ ଆଣିଥିଲେ । ଚୋରକୁ ଉତ୍ତମ ମଧ୍ୟମ ଦେଇ ବାନ୍ଧି ରଖିଥିବାବେଳେ ଚାରିଛକ ଫାଣ୍ଡି ପୋଲିସ ପହଞ୍ଚି ଲୋକମାନଙ୍କ କବଳରୁ ଚୋରକୁ ଉଦ୍ଧାର କରି ନିମାପଡା ଥାନାକୁ ଆଣିଛି । ଏ ସମ୍ପର୍କରେ ଚୋରି ଯାଇଥିବା ବ୍ୟବସାୟୀ ଥାନାରେ ଅଭିଯୋଗ କରିଛନ୍ତି । ବାରମ୍ବାର ଚାରିଛକ ଅଞ୍ଚଳରେ ଅପରାଧିକ କାର୍ଯ୍ୟ ଘଟୁଥିବାବେଳେ ପୋଲିସ କାର୍ଯ୍ୟ ସନ୍ଦେହ ଘେରରେ ରହିଛି । ଚାରିଛକ ମୁଖ୍ୟ ବଜାରରେ କେତେଜଣ କର୍ମଚାରୀ ଡ୍ୟୁଟି ପାଇଁ ଆସି ବିଭିନ୍ନ ଦୋକାନରେ ବସି ଗୁଲିଖଟି କରୁଥିବା ଦେଖିବାକୁ ମିଳୁଛି । ଏହି ଘଟଣା ପ୍ରତି ନିମାପଡା ଥାନା ଅଧିକାରୀ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

Get real time updates directly on you device, subscribe now.