ହାର୍ଦ୍ଦିକଙ୍କ ନାଁରେ ଯୋଡି ହେଲା ବଡ ରେକର୍ଡ: ଏମିତି କରିବାରେ ହେଲେ ପ୍ରଥମ ଅଧିନାୟକ

ନୂଆଦିଲ୍ଲୀ: ଆରଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମ ମ୍ୟାଚରେ ବର୍ଷା କିଛି ସମୟ ପାଇଁ ବାଧା ସୃଷ୍ଟି କରିଥିଲେ ମଧ୍ୟ ଏଥିରେ ବିଜୟ ସହ ଅଧିନାୟକ କ୍ୟାରିୟର ଆରମ୍ଭ କରିଛନ୍ତି ହାର୍ଦ୍ଦିକ । ପ୍ରଥମ ଟି-୨୦ ମ୍ୟାଚରେ ଆୟରଲାଣ୍ଡକୁ ୭ ୱିକେଟରେ ହରାଇବା ପରେ ହାର୍ଦ୍ଦିକଙ୍କ ନାଁରେ ଯୋଡି ହୋଇଛି ଏକ ବଡ ରେକର୍ଡ । ଏମିତି କାରନାମା କରିବାରେ ସେ ଭାରତର ପ୍ରଥମ ଅଦିନାୟକ ପାଲଟିଛନ୍ତି ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ବର୍ଷା କାରଣରୁ ମ୍ୟାଚ ୧୨-୧୨ ଓଭରର ଖେଳାଯାଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରି ଆୟରଲାଣ୍ଡ ୪ ୱିକେଟ ବିନିମୟରେ ୧୦୮ ରନ କରିପାରିଥିଲା । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଆବେଶ ଖାନ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ତେବେ ଏହି ୱିକେଟ ସହ ହାର୍ଦ୍ଦିକ ନିଜ ନାମରେ ଏକ ବଡ ରେକର୍ଡ ଯୋଡି ଦେଇଛନ୍ତି । ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୱିକେଟ ହାସଲ କରିବାରେ ଭାରତର ପ୍ରଥମ ଅଧିନାୟକ ପାଲଟିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ପୂର୍ବରୁ ଭାରତର କୌଣସି ଅଧିନାୟକ ଟି-୨୦ ମ୍ୟାଚରେ ୱିକେଟ ନେବାରେ ସଫଳ ହୋଇ ନଥିଲେ ।

ବିଜୟ ସହ ସିରିଜର ଆରମ୍ଭ କରିବା ଦଳର ମନୋବଳ ବଢାଇବ । ବର୍ଷା ପରେ ମଧ୍ୟ ମ୍ୟାଚ ଖେଳାଯିବା ନିଶ୍ଚୟ ଏକ ସୌଭାଗ୍ୟର ବିଷୟ । ତେବେ ପ୍ରଥମ ଥର ଓପନିଙ୍ଗ କରୁଥିବା ଦୀପକ ହୁଡ୍ଡା ଖୁବ ସୁନ୍ଦର ବ୍ୟାଟିଂ କରି ମାତ୍ର ୨୯ ବଲରୁ ୪୭ ରନର ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ଇଶାନ କିଶାନ ମଧ୍ୟ ଦଳ ପାଇଁ ଭଲ ଷ୍ଟାର୍ଟ କରି ଦଳକୁ ବିଜୟ ଭେଟି ଦେଇଛନ୍ତି ।