fbpx

ମୂଷା ଓ ଚୁଚୁନ୍ଦ୍ରା ଠାରୁ ବ୍ୟାପୁଛି ଭୟଙ୍କର ରୋଗ, ସତର୍କ ରହିବାକୁ ସରକାର ଜାରି କଲେ ଆଡଭାଇଜରି

ନୂଆଦିଲ୍ଲୀ: ଦେଶର ଅନ୍ନଦାତାଙ୍କୁ ଫସଲ ବୁଣିବା ଠାରୁ ଆରମ୍ଭ କରି ଫସଲ କାଟିବା ପର୍ଯ୍ୟନ୍ତ ବହୁ ସମସ୍ୟାର ସାମ୍ନା କରିବାକୁ ହୋଇଥାଏ । ଏଥିରେ ପାଣିପାଗର ପ୍ରଭାବ ସହିତ ଆର୍ଥିକ ସମସ୍ୟା ବି ସାମିଲ ରହିଛି । ମୂଷା ଓ ଚୁଚୁନ୍ଦ୍ରା ଠାରୁ ବ୍ୟାପୁଥିବା ରୋଗ ବି କୃଷକଙ୍କ ଲାଗି ବଡ ସମସ୍ୟା ପାଲଟିଥାଏ । ଏପରି ସ୍ଥିତିରେ ସରକାରଙ୍କ ପକ୍ଷରୁ ଏକ ସଂଚାରୀ ରୋଗ ନିୟନ୍ତ୍ରଣ ଅଭିଯାନ ଆରମ୍ଭ ହୋଇଛି ।

ମୂଷା ଓ ଚୁଚୁନ୍ଦ୍ରା ବିଲରେ ଗାତ ଖୋଳି ରହିଥାନ୍ତି । ଏମାନେ ଫସଲକୁ ବହୁ କ୍ଷତି ପହଞ୍ଚାଇଥାନ୍ତି । ତେବେ ମୂଷାଙ୍କ ଠାରୁ କେବଳ ଫସଲକୁ ନୁହେଁ ମଣିଷଙ୍କୁ ମଧ୍ୟ ବହୁତ ଗମ୍ଭୀର ରୋଗ ସଂକ୍ରମିତ ହୋଇଥାଏ । ଏପରି ସ୍ଥିତିରେ କୃଷକ ଓ ଫସଲକୁ ରୋଗରୁ ରକ୍ଷା କରିବା ପାଇଁ କୃଷି ବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ସରକାର ଏପ୍ରିଲ ୧ରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ସଂଚାରୀ ରୋଗ ନିୟନ୍ତ୍ରଣ ଅଭିଯାନ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ମୂଷା ଠାରୁ ଲେପ୍ଟୋସ୍ପିରୋସିସ୍ ଓ ସ୍କ୍ରବ୍ ଟାଇଫସ୍ ରୋଗ ବ୍ୟାପିଥାଏ । ଏହା ଓରିଏଟିଆ ସୁତସୁଗାମୁଶୀ ନାମକ ବ୍ୟାକ୍ଟେରିଆ କାରଣରୁ ହେଉଥିବା ଏକ ଭୟଙ୍କର ରୋଗ । ଏହି କୀଟ ବୁଦୁବୁଦିକିଆ କିମ୍ବା ସନ୍ତସନ୍ତିଆ ସ୍ଥାନରେ ଦେଖାଯାନ୍ତି । ଏହି ସ୍ଥାନରେ ମୂଷା ବି ରହିଥାନ୍ତି । ତେଣୁ ଏହି ରୋଗ ମୂଷାଙ୍କୁ ବି ହୋଇଥାଏ । ଏହାପରେ ମୂଷାଙ୍କ ଠାରୁ ବିଲରେ କାମ କରୁଥିବା କୃଷକଙ୍କୁ ଏହି ରୋଗ ହୋଇଥାଏ ।

ଲେପ୍ଟୋସ୍ପିରୋସିସ୍ ଓ ସ୍କ୍ରବ୍ ଟାଇଫସ୍‌ରେ ସଂକ୍ରମିତ କୌଣସି କୀଟ ଯେତେବେଳେ କାହାକୁ କାମୁଡି ଥାଏ ସେତେବେଳେ ୬ରୁ ୨୧ ଦିନ ମଧ୍ୟରେ ତାର ଶରୀରରେ ଏହାର ଲକ୍ଷଣ ଦେଖିବାକୁ ମିଳିଥାଏ । ଏହି ସମୟରେ ଜ୍ୱର, ଭୀଷଣ ଥଣ୍ଡା ଲାଗିବା, ଛାତି ଧରିବା, ମୁଣ୍ଡ ବିନ୍ଧା ପରି ଲକ୍ଷଣ ପ୍ରକାଶ ପାଇଥାଏ । ଏପରି ସ୍ଥିତିରେ ଏହି ଗମ୍ଭୀର ରୋଗରୁ ସୁରକ୍ଷା ପାଇଁ ସରକାର ଆଡଭାଇଜରୀ ଜାରି କରିଛନ୍ତି ।

ଏଥିରୁ ରକ୍ଷା ପାଇବା ପାଇଁ କୃଷକ ପୁରା ହାତବାଲା ପୋଷାକ ପିନ୍ଧିବା ଉଚିତ । ବିଲରୁ ଘରକୁ ଫେରିବା ପରେ ପିନ୍ଧିଥିବା ସମସ୍ତ ପୋଷାକକୁ ଭଲ ଭାବରେ ଧୋଇବା ଉଚିତ । ଘାସ କିମ୍ବା ମାଟି ଉପରେ ଶୋଇବା ଅନୁଚିତ । ଘର ନିକଟରେ ଯେପରି ମୂଷା ରହିବେ ନାହିଁ ତାହାର ବ୍ୟବସ୍ଥା କରିବା ଉଚିତ । ଏହି ସମସ୍ତ ନିୟମ ପାଳନ କରି ରୋଗ ଦାଉରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ସଚେତନତା ଜାରି କରାଯାଇଛି ।

Get real time updates directly on you device, subscribe now.