fbpx

ଏମିତି ବି ଆସେ ମୃତ୍ୟୁ: ଖାଇବା ଆଣିବାକୁ ଯାଇଥିବା ବେଳେ ଶେଲିଂ ମାଡରେ ପ୍ରାଣ ହରାଇଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଇତିମଧ୍ୟରେ ଏକ ଦୁଃଖଦ ଖବର ଆସିଛି । ୟୁକ୍ରେନର ଖାରକିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଯୁଦ୍ଧରେ ପ୍ରପୀଡିତ ୟୁକ୍ରେନରେ ନିଜ ପାଇଁ ଖାଇବା ଆଣିବାକୁ ଯାଇଥିବା ଛାତ୍ର ଜଣଙ୍କ ପ୍ରାଣ ହରାଇଛନ୍ତି । ପେଟର ଭୋକ ମେଣ୍ଟାଇବାକୁ ଯାଇ ପ୍ରାଣ ହାରିଛନ୍ତି । ବୋମାମାଡ଼ ଯୋଗୁଁ ଉକ୍ତ ଛାତ୍ରଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ତେବେ ଛାତ୍ରଙ୍କର ମୃତ୍ୟୁ ନେଇ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିବା ସହ ଯୋଗାଯୋଗରେ ରହିଥିବା ସୂଚନା ଦେଇଛି । ଉକ୍ତ ବୋମାମାଡ଼ରେ ମୃତ୍ୟୁବରଣ କରିଥିବା ଛାତ୍ରଙ୍କର ଘର କର୍ଣ୍ଣାଟକର ଚାଲାଗେରିରେ ବୋଲି ଜଣାପଡ଼ିଛି । ତାଙ୍କର ନାମ ହେଉଛି ନବୀନ ଶେଖାରପ୍ପା ଜ୍ଞାନଗୌଡାର । ନବୀନ ତାଙ୍କ ଆପାର୍ଟମେଣ୍ଟରୁ ରେଳ ଷ୍ଟେସନ ଆଡ଼କୁ ଯାଉଥିବା ବେଳେ ଦୁର୍ଭାଗ୍ୟବଶତଃ ମିସାଇଲ ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଖାରକିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ଚତୁର୍ଥ ବର୍ଷର ମେଡିକାଲ ଛାତ୍ର ଥିଲେ । ଖାଇବା ସାମଗ୍ରୀ ଶେଷ ହୋଇ ଯାଇଥିବା ବେଳେ ନବୀନ ଆଣିବା ପାଇଁ ଯାଇଥିଲେ । ଏହି ସମୟରେ ଅଚାନକ ଋଷିଆ ପକ୍ଷରୁ ଶେଲିଂ ମାଡ କରାଯିବାରୁ ବିସ୍ଫୋରଣରେ ପ୍ରାଣ ହରାଇଥିଲେ ୨୧ ବର୍ଷୀୟ ନବୀନ ।

ବିସ୍ଫୋରଣରେ ନବୀନଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ଫୋନ୍ ଜଣେ ୟୁକ୍ରେନୀୟ ମହିଳାଙ୍କ ନିକଟରେ ରହିଥିଲା । ମହିଳା ଜଣଙ୍କ ଫୋନ କରି ସାଙ୍ଗ ମାନଙ୍କୁ ମୃତ୍ୟୁ ଖବର ଜଣାଇଥିଲେ । ଏହାପରେ ଯୁବକଙ୍କ ପରିବାର ନିକଟରେ ମଧ୍ୟ ମୃତ୍ୟୁ ଖବର ପହଞ୍ଚିଥିଲା । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ନିହତ ଯୁବକର ପିତାଙ୍କୁ ଭେଟିବା ସହିତ ସାହସ ରଖିବାକୁ କହିଛନ୍ତି । ମୃତ ଶରୀରକୁ ଭାରତ ଆଣିବା ପାଇଁ ପ୍ରୟାସ କରାଯାଉଥିବା ନେଇ ବୋମ୍ମାଇ ପ୍ରକାଶ କରିଛନ୍ତି । ଏହା ସହିତ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ଖାରକିଭରେ ୩ ହଜାରରୁ ଅଧିକ ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ନିକଟରେ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜିନିଷ ନଥିବା ବେଳେ ସମସ୍ତେ ହଇରାଣ ହେଉଛନ୍ତି । ଅନ୍ୟ ପକ୍ଷରେ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସି-୧୭ ଫ୍ଲାଇଟ ବ୍ୟବହାର କରାଯିବ ବୋଲି ଜଣାପଡିଛି । ଏହା ସହିତ ବିଗତ କିଛି ଦିନ ମଧ୍ୟରେ ୟୁକ୍ରେନ ଛାଡିବାକୁ ଆଡଭାଇଜରି ଜାରି କରାଯାଇଥିବା ବେଳେ ଯେ କୌଣସି ପରସ୍ଥିତିରେ କିଭ ଛାଡିବା ପାଇଁ ସମସ୍ତ ଛାତ୍ରଙ୍କୁ ବାଧ୍ୟ କରାଯାଇଛି । ଫସିଥିବା ଭାରତୀୟଙ୍କ ପାଇଁ କଠୋର ଆଡଭାଇଜରି ଜାରି କରାଯାଇଛି। ସମସ୍ତ ଭାରତୀୟ ନାଗରିକ ଏବଂ ଛାତ୍ରଙ୍କୁ ଯେମିତି ହେଲେ ଆଜି କିଭ୍ ଛାଡି ଚାଲି ଯିବାକୁ କୁହାଯାଇଛି। କିଭ ଛାଡିବା ପାଇଁ ଯାହା ବି କିଛି ସାଧନ ମିଳୁଛି ତାକୁ ଧରି ତୁରନ୍ତ ସେଠାରୁ ବାହାରି ଯିବାକୁ ଆଡଭାଇଜରିରେ କୁହାଯାଇଛି।  ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରଫରୁ କୁହାଯାଇଛି, ଟ୍ରେନ କିମ୍ବା ଯେ କୌଣସି ଯାତାୟତର ସାଧନ ମିଳୁଛି ତାକୁ ଧରି କିଭରୁ ଆଜି ବାହାରି ଯାଆନ୍ତୁ। କାରଣ କିଭରେ ସ୍ଥିତି ଭୟାବହ ହେବାରେ ଲାଗିଛି।

Get real time updates directly on you device, subscribe now.