fbpx

ଟେନସନ୍! ଗୁରୁବାରଠାରୁ ମହଙ୍ଗା ହେବାକୁ ଯାଉଛି ଏହି ସାମଗ୍ରୀ, ଜାଣନ୍ତୁ କ’ଣ ଓ କେତେ?

ନୂଆଦିଲ୍ଲୀ: କରୋନା କାଳରେ ଦରଦାମ୍ ବୃଦ୍ଧିକୁ ନେଇ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇପଡିଲେଣି । ଏହାରି ମଧ୍ୟରେ ଏପ୍ରିଲ ମାସରୁ ପୁଣି କିଛି ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି । ପେଟ୍ରୋଲ, ଡିଜେଲ, ଗ୍ୟାସ ସିଲିଣ୍ଡର ଆଦିର ଦାମ୍ ବଢିବା ପରେ ଏପ୍ରିଲ ୧ଠାରୁ କ୍ଷୀର, ଏୟାର କଣ୍ଡିସନ ବା ଏସି, ଫ୍ୟାନ୍, ଟିଭି ଓ ସ୍ମାର୍ଟଫୋନର ଦାମ ବଢିଯିବ । ସେହିପରି ବିମାନ ଭଡା, ଟୋଲ୍ ଟ୍ୟାକ୍ସ ଓ ବିଦ୍ୟୁତ ଶୁଳ୍କ ବି ବୃଦ୍ଧି ପାଇବ । ଏହି ସବୁ ସେବା ପାଇଁ ଲୋକମାନଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା କାଲିଠାରୁ କ’ଣ ବଢିବ ଓ କେତେ….

– ନୂଆ ବଜେଟ୍ ହିସାବରେ ଇଲୋକ୍ଟ୍ରୋନିକ ସାମଗ୍ରୀ ମହଙ୍ଗା ହେବ । ଏପ୍ରିଲ୍ ୧, ୨୦୨୧ରୁ ଟେଲିଭିଜନର ଦାମ୍ ୨,୦୦୦ରୁ ୩,୦୦୦ ଟଙ୍କାକୁ ବୃଦ୍ଧି ହୋଇପାରେ । ଏସି, ଫ୍ରିଜ୍ ଓ କୁଲର୍ ଦର ମଧ୍ୟ ଏପ୍ରିଲଠାରୁ ବଢାଇବାକୁ କମ୍ପାନୀଗୁଡିକ ଯୋଜନା କରୁଛି । କଞ୍ଚାମାଲର ମୂଲ୍ୟ ବୃଦ୍ଧି ହୋଇଥିବାରୁ କମ୍ପାନୀଗୁଡିକ ଏସିର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏସି ତିଆରି କରୁଥିବା କମ୍ପାନୀଗୁଡିକ ଦାମକୁ ୪ରୁ ୬ ପ୍ରତିଶତ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଅର୍ଥାତ୍ ୟୁନିଟ୍ ପିଛା ଏସିର ମୂଲ୍ୟ ୧,୫୦୦ ଟଙ୍କାରୁ ୨,୦୦୦ ଟଙ୍କାକୁ ବୃଦ୍ଧି ହୋଇପାରେ ।

-କ୍ଷୀର ବ୍ୟବସାୟୀମାନେ ଦରଦାମ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ଷୀରର ମୂଲ୍ୟ ଲିଟର ପିଛା ୫୫ ଟଙ୍କା ହେବା ଉଚିତ ବୋଲି କୃଷକମାନେ କହିଥିଲେ । କିନ୍ତୁ ବ୍ୟବସାୟୀମାନେ କହିଛନ୍ତି ଯେ ସେମାନେ କ୍ଷୀରର ମୂଲ୍ୟ ମାତ୍ର ୩ ଟଙ୍କା ବୃଦ୍ଧି କରିବେ । ବର୍ଦ୍ଧିତ ମୂଲ୍ୟ ଏପ୍ରିଲ୍ ୧ରୁ ଲାଗୁ ହେବ । ଅର୍ଥାତ୍ ଏପ୍ରିଲ୍ ୧ରୁ ଲୋକମାନେ ଲିଟର କ୍ଷୀର ପିଛା ୪୯ ଟଙ୍କାରେ କ୍ଷୀର ପାଇବେ ।

– ସେହିପରି ଏପ୍ରିଲରେ ଆପଣଙ୍କୁ କାର କିଣିବା ପାଇଁ ଅଧିକ ଦାମ୍ ଦେବାକୁ ପଡ଼ିପାରେ । ଜାପାନର କମ୍ପାନୀ ନିସାନ୍ ନିଜ କାରର ମୂଲ୍ୟ ବୃଦ୍ଧି ଘୋଷଣା କରିସାରିଛି । ନିସାନ୍ ଏହାର ଦ୍ୱିତୀୟ ବ୍ରାଣ୍ଡ୍ ଡାଟସୁନର ଦାମ୍ ବୃଦ୍ଧି କରିବାକୁ ଘୋଷଣା କରିଛି । କୃଷି ଉପକରଣ ଉତ୍ପାଦନକାରୀ ଏସକର୍ଟ ଲିମିଟେଡର ଏସକର୍ଟ ଏଗ୍ରି ମେସିନାରୀ ବିଭାଗ ବି କହିଛି ଯେ ଏପ୍ରିଲ୍ ମାସରୁ ଟ୍ରାକ୍ଟରର ଦାମ୍ ବୃଦ୍ଧି କରିବ ।

– ଓଡ଼ିଶା ଓ ବିହାରରେ ବିଜୁଳି ଦର ବୃଦ୍ଧି ହୋଇଛି । ଏହି ଦୁଇ ରାଜ୍ୟର ଲୋକଙ୍କୁ ଏପ୍ରିଲ୍ ମାସରୁ ବିଦ୍ୟୁତ୍ ପାଇଁ ଅଧିକ ବିଲ୍ ଦେବାକୁ ପଡିବ । ବିହାରରେ ଏପ୍ରିଲ୍ ୧ରୁ ନୂଆ ଦର ଲାଗୁ ହେବ, ଆଉ ଓଡ଼ିଶାରେ ଅପ୍ରିଲ୍ ୪ରୁ ନୂଆ ଦର ଲାଗୁ ହେବ । ଓଡ଼ିଶାରେ ଘରୋଇ ବ୍ୟବହାର କ୍ଷେତ୍ରରେ ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରାଯାଇଛି । ପୂର୍ବରୁ ୫୦ ୟୁନିଟ୍ ପର୍ଯ୍ୟନ୍ତ ଦେୟ ଥିଲା ୨ ଟଙ୍କା ୭୦ ପଇସା । ଏଣିକି ଏହା ବୃଦ୍ଧି ପାଇ ହେଲା ୩ ଟଙ୍କା । ସେହି ପରି ୫୦ରୁ ୨୦୦ ୟୁନିଟ୍ ଯାଏଁ ଦେୟ ଥିଲା ୪ ଟଙ୍କା ୫୦ ପଇସା । ଏହା ବୃଦ୍ଧି ପାଇ ହୋଇଛି ୪ ଟଙ୍କା ୮୦ ପଇସା ।

– ଏପ୍ରିଲ୍ ୧ରୁ ବିମାନ ସୁରକ୍ଷା ଶୁଳ୍କ ମଧ୍ୟ ବୃଦ୍ଧି ହେବାକୁ ଯାଉଛି । ନିକଟରେ ଘରୋଇ ବିମାନ ଭଡାର ନିମ୍ନ ସୀମାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ୧ରୁ ଘରୋଇ ବିମାନ ପାଇଁ ବିମାନ ସୁରକ୍ଷା ଶୁଳ୍କ ୨୦୦ ଟଙ୍କା ହେବ । ବର୍ତ୍ତମାନ ଏହା ୧୬୦ ଟଙ୍କା ଅଛି । ଆନ୍ତର୍ଜାତୀୟ ବିମାନ ବିଷୟରେ କହିବାକୁ ଗଲେ ସେଗୁଡିକର ଶୁଳ୍କ $୫.୨ରୁ $୧୨କୁ ବୃଦ୍ଧି ପାଇବ । ଏପ୍ରିଲ୍ ୧, ୨୦୨୧ରୁ ଜାରି ହେଉଥିବା ଟିକେଟ୍ ଉପରେ ଏହି ନୂଆ ହାର ପ୍ରଯୁଜ୍ୟ ହେବ ।

Get real time updates directly on you device, subscribe now.