ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଭିମ୍ବେଟକା ନାମକ ଏକ ସ୍ଥାନ ରହିଛି, ଯେଉଁଠି ମାନବ ସଭ୍ୟତାର ଆରମ୍ଭ ପ୍ରଥମେ ହୋଇଥିଲା ବୋଲି ଜଣାଯାଏ । ଏହି ସ୍ଥାନ ରାଜଧାନୀ ଭୋପାଳଠାରୁ ୪୫ କିମି ଦୂର ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ । ହଜାର ହଜାର ବର୍ଷ ତଳର ଜୀବନଶୈଳୀ ଏହି ପଥର ଚିତ୍ରରେ ଲିପିବଦ୍ଧ ହୋଇ ରହିଛି । ଏହି ସ୍ଥାନରେ ନୃତ୍ୟ, ସଙ୍ଗୀତ, ଶିକାର, ଘୋଡ଼ା ଓ ହାତୀ ସବାରି ଏବଂ ମହୁ ସଂଗ୍ରହ ବିଷୟରେ ଅନେକ ଚିତ୍ର ଦେଖିବାକୁ ମିଳେ ।
ଭୀମ୍ବେଟକା ମୁଖ୍ୟତଃ ଏକ ଆବାସିକ ସ୍ଥାନ ଭାବେ ଜଣାଯାଏ । ୧୯୯୯ ମସିହାରେ ମଧ୍ୟପ୍ରଦେଶ ସରକାର ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥଳ ରୂପେ ଘୋଷଣା କରିଥିଲେ । ଏହାପରେ ୨୦୦୩ ମସିହା ଜୁଲାଇ ମାସରେ ୟୁନେସ୍କୋ ଏହାକୁ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପ୍ରଦାନ କରିଥିଲା । ପୁରାତନ ମାନବଙ୍କ ଦ୍ୱାରା ନିର୍ମିତ ପଥର ଚିତ୍ର ଓ ପଥର ଗଠନ ପାଇଁ ଏହି ସ୍ଥାନ ପ୍ରସିଦ୍ଧ । ଭାରତ ଉପମହାଦେଶରେ ଏହାକୁ ମାନବ ଜୀବନର ସର୍ବପୁରାତନ ଛାପ ବୋଲି ଗ୍ରହଣ କରାଯାଏ ।
ଏଠାରେ ପଥର ନିର୍ମିତ ଅଟ୍ଟାଳିକା, କ୍ଷୁଦ୍ର ସ୍ତୁପ, ପ୍ରାଚୀନ ଦୁର୍ଗର କାନ୍ଥ, ଖୋଦିତ ଲେଖା ଆଦିର ଅବଶିଷ୍ଟାଂଶ ଦେଖିବାକୁ ମିଳିଥାଏ । ମହାଭାରତର ପିତାମହ ଭୀଷ୍ମଙ୍କ ଚରିତ୍ର ସହିତ ଏହି ସ୍ଥାନର ବିଶେଷ ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଏ । ଏହାର କାନ୍ଥଗୁଡ଼ିକ ଅନେକ ଧାର୍ମିକ ଚିହ୍ନରେ ସଜେଇ ହୋଇ ରହିଛି । ଏଠାରେ ଥିବା ଗୁମ୍ଫାରେ ୭୫୦ରୁ ଅଧିକ ପଥର ଚିତ୍ର ରହିଛି । ମାତ୍ର ଅନୁସନ୍ଧାନକାରୀ ଦଳ ଦ୍ୱାରା ମାତ୍ର ୧୫ଟି ଚିତ୍ର ଚିହ୍ନଟ କରାଯାଇଛି ।
ଭୀମ୍ବେଟକାରେ ଶହ ଶହ ପ୍ରକାରର ବୃକ୍ଷ ରହିଛି । ବୃକ୍ଷ ଓ ପଥର ପାଇଁ ଏହି ସ୍ଥାନକୁ ସମସ୍ତେ ଜାଣନ୍ତି । ଏଠାରେ ଏପରି ପଥର ରହିଛି, ଯାହାର ଆକୃତି କଇଁଛ ସହିତ ସମାନ । ଫଳରେ ଗୋଟିଏ କଇଁଛ ଅନ୍ୟ କଇଁଛ ଉପରେ ବସିଥିବା ପରି ଦେଖାଯାଏ । ଏହି ପଥର ଚିତ୍ର ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ ।