fbpx

ନୂଆବର୍ଷରେ ୪୦୦୦ରୁ ଅଧିକ ଲୋକ ଏକ ସଙ୍ଗେ କଲେ ସୂର୍ଯ୍ୟ ନମସ୍କାର, ରଚିଲେ ଗିନିଜ୍ ରେକର୍ଡ

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନ ସାରା ବିଶ୍ୱର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ତରିକାରେ ଖୁସିର ଉତ୍ସବ ପାଳନ କରାଯାଉଛି । ଭାରତରେ ମଧ୍ୟ ଲୋକମାନେ ଉତ୍ସାହର ସହ ନୂଆବର୍ଷର ସ୍ୱାଗତ କରୁଛନ୍ତି । ଏହି କ୍ରମରେ ନୂଆବର୍ଷର ପ୍ରଥମ ସକାଳରେ ଗୁଜରାଟର ମୋଧେରା ସୂର୍ଯ୍ୟ ମନ୍ଦିରରେ ୪୦୦୦ଲୋକ ଏକ ସଙ୍ଗେ ସୂର୍ଯ୍ୟ ନମସ୍କାର କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ରାଜ୍ୟର ଗୃହମନ୍ତ୍ରୀ ହର୍ଷ ସାଙ୍ଘବୀ ମଧ୍ୟ ଉପସ୍ଥିତ ଥିଲେ ।

ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଘବୀ କହିଛନ୍ତି ଆଜି ମୋଧେରା ସୂର୍ଯ୍ୟ ମନ୍ଦିରରେ ୪୦୦୦ରୁ ଅଧିକ ଲୋକ ସୂର୍ଯ୍ୟ ନମସ୍କାରରେ ଭାଗ ନେଇଥିଲେ । ସାରା ବିଶ୍ୱରେ ଏବେ ଯୋଗ ପ୍ରତି ଆଦର ବଢିଛି । ଆଜି ଗୁଜରାଟରେ ସବୁଠାରୁ ଅଧିକ ଲୋକ ଏକ ସଙ୍ଗେ ସୂର୍ଯ୍ୟ ନମସ୍କାର କରି ନୂଆ ରେକର୍ଡ କରିଛନ୍ତି । ଏହି ଗୁଜରାଟରେ ୨୦୨୩ରେ ସବୁଠାରୁ ଅଧିକ ଲୋକ ଏକ ସଙ୍ଗେ ଯୋଗ କରି ପୂର୍ବରୁ ରେକର୍ଡ କରିଥିଲେ ଓ ଆଜି ପୁଣି ସୂର୍ଯ୍ୟ ନମସ୍କାର କରି ନୂଆ ରେକର୍ଡ କରିଛନ୍ତି ।

ହର୍ଷ ସାଙ୍ଘବୀ କହିଛନ୍ତି ସାରା ବିଶ୍ୱ ଯେତେବେଳେ ପରମ୍ପରାଗତ ରୂପରେ ୩୧ ତାରିଖ ଅର୍ଦ୍ଧରାତ୍ରୀରେ ନୂଆବର୍ଷର ଉତ୍ସବ ମନାଇଥାଏ ସେତେବେଳେ ଗୁଜରାଟର ଯୁବଗୋଷ୍ଠୀ ଏକ ଅଭିନ୍ନ ପରମ୍ପରା ସହିତ ନୂଆବର୍ଷର ଆରମ୍ଭ କରିଥାନ୍ତି ଓ ସୂର୍ଯ୍ୟ ନମସ୍କାର ସହିତ ସୂର୍ଯ୍ୟୋଦୟକୁ ସ୍ୱାଗତ କରିଥାନ୍ତି । ଏହି ପ୍ରତୀକାତ୍ମକ ଆଚରଣ କେବଳ ଶକ୍ତି ସଞ୍ଚାର କରି ନ ଥାଏ ବରଂ ଏକ ସୁସ୍ଥ ଓ ସୁଖମୟ ଜୀବନ ପ୍ରତି ପ୍ରତିବଦ୍ଧତା ବୃଦ୍ଧି କରିଥାଏ ।

ତେବେ ଏହି ବୃହତ୍ତ କାର୍ଯ୍ୟକ୍ରମକୁ ନେଇ ଗିନିଜ୍ ୱାର୍ଲ୍ଡ ରେକର୍ଡର ନିର୍ଣ୍ଣାୟକ ସ୍ୱପ୍ରିଲ ଡାଙ୍ଗରିକର କହିଛନ୍ତି ଏହା ଏକ ନୂଆ ଟାଇଟେଲ୍ ସୃଷ୍ଟି କରିଛି କାରଣ ପୂର୍ବରୁ କେହି ଏହି ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିନାହାନ୍ତି । ସଫଳତାପୂର୍ବକ ଏମାନେ ସୂର୍ଯ୍ୟ ନମସ୍କାର କ୍ଷେତ୍ରରେ ନୂଆ ଗିନିଜ୍ ରେକର୍ଡ ବନାଇଛନ୍ତି ।

Get real time updates directly on you device, subscribe now.