ନୂଆଦିଲ୍ଲୀ: ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଧମକପୁର୍ଣ୍ଣ ମେସେଜ ଦିଆଯାଇଛି। ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ଡିପାର୍ଟମେଣ୍ଟକୁ ଏକ ଅଜଣା ନମ୍ବରରୁ ଫୋନ କରି, ଜଣେ ବ୍ୟକ୍ତି ଧମକ ଦେଇଛି। ଧମକ ଦେଇ କହିଛି ଯେ, ୧୦ ଦିନ ମଧ୍ୟରେ ଯୋଗୀ ଆଦିତ୍ୟନାଥ ଯଦି ଇସ୍ତଫା ନ ଦିଅନ୍ତି ତେବେ ତାଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଭଳି କରାଯିବ। ଶନିବାର ସଂଧ୍ୟାରେ ଏହି ଧମକପୂର୍ଣ୍ଣ ଫୋନ କଲ ପରେ ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଅଜଣା ବ୍ୟକ୍ତିଙ୍କୁ ଖୋଜାଖୋଜି ଚାଲିଛି।
ମହାରାଷ୍ଟ୍ର ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ବାବା ସିଦ୍ଦିକିଙ୍କ ହତ୍ୟା ପରେ ମୁମ୍ବାଇ ପୋଲିସ ଏହି ଘଟଣାର ନିରନ୍ତର ଅନୁସନ୍ଧାନ କରୁଛି। ତାଙ୍କ ପୁଅଙ୍କ କାର୍ଯ୍ୟାଳୟ ବାହାରେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ବାବା ସିଦ୍ଦିକିଙ୍କ ଉପରକୁ ଅନେକ ରାଉଣ୍ଡ ଗୁଳି ଚଳାଇଥିଲା, ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ବାବା ସିଦ୍ଦିକିଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତେବେ ବାବା ସିଦ୍ଦିକିଙ୍କ ହତ୍ୟା ପରେ ମଧ୍ୟ ଧମକଚମକ ବନ୍ଦ ହେଉନାହିଁ।